ଭୁବନେଶ୍ୱର: ଇଡ୍କୋ ମାଧ୍ୟମରେ ବିଭିନ୍ନ ଜିଲାରେ ସ୍ଥାପନ ହୋଇଥିବା ୧୪୦ ଶିଳ୍ପାଞ୍ଚଳରେ ୬୨୭ଶିଳ୍ପସଂସ୍ଥା ଅଚଳ ଅବସ୍ଥାରେ ରହିଛି। ବିଭିନ୍ନ କାରଣ ଲାଗି ଏହି ଶିଳ୍ପ ସଂସ୍ଥାଗୁଡ଼ିକ ବନ୍ଦ ହୋଇଯାଇଛି। ରାଜ୍ୟ ସରକାରଙ୍କ ସିଙ୍ଗଲ୍ ୱିଣ୍ଡୋ ଦ୍ବାରା ଅନୁମୋଦିତ ବୃହତ୍ ଶିଳ୍ପ ମଧ୍ୟରୁ ୭ଟି ଶିଳ୍ପ ଏବେ ବନ୍ଦ। ଏଗୁଡ଼ିକୁ ଇନସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରେପ୍ସି କୋଡ୍ ଦ୍ବାରା ପୁନରୁଦ୍ଧାର କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ବିଧାନସଭାରେ ସୂଚନା ଦେଇଛନ୍ତି।
ଶ୍ରୀ ସ୍ବାଇଁ କହିଲେ, କଟକ ଜିଲାର ଟାଙ୍ଗୀରେ ବନ୍ଦ ପଡିଥିବା ଓଟିଏମ୍ର ଜମିକୁ ଇଡ୍କୋକୁ ଫେରାଇ ଆଣି ୱେଲସୁନକୁ ଶିଳ୍ପ ସ୍ଥାପନ ଲାଗି ହସ୍ତାନ୍ତର କରାଯିବା ପ୍ରକ୍ରିୟା ହାତକୁ ନିଆଯାଇଛି। ଅନ୍ୟପକ୍ଷରେ, ବରଗଡ଼ କୋଅପରେଟିଭସୁଗାର ମିଲର ଜମିକୁ ଇଡ୍କୋକୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ୱେଭର୍ସ କୋଅପରେଟିଭ ସ୍ପିନିଂ, କଟକ ସୁଗାର ମିଲ, ଝାରସୁଗୁଡାର ଓରିଏଣ୍ଟ ପେପର ମିଲ, ଭାସ୍କର ଟେକ୍ସଟାଇଲ ମିଲ, ଶ୍ରୀ ସାରଳା ୱେଭର୍ସ କୋଅପରେଟିଭ୍ ସ୍ପିନିଂ ମିଲ୍ ଭଳି କମ୍ପାନିଗୁଡ଼ିକର ଜମିକୁ ମଧ୍ୟ ଫେରାଇ ଆଣିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି।
ଶ୍ରୀ ସ୍ବାଇଁ ପୁଣି କହିଲେ, ଶିଳ୍ପ ଲାଗି ଅନୁମୋଦିତ ଜମିକୁ ବିନିଯୋଗ ନ କରି ଅଣ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଥିବା ୧୨ଟି ଶିଳ୍ପ ସଂସ୍ଥାଙ୍କୁ ଇଡ୍କୋ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେଗୁଡିକ ମଧ୍ୟରୁ ୬ଟି ଶିଳ୍ପ ସଂସ୍ଥାଙ୍କୁ ଆବଣ୍ଟିତ ଜମିକୁ ରଦ୍ଦ କରାଯାଇଛି। ଗୋଟିଏ ଶିଳ୍ପ ସଂସ୍ଥା ରାଜ୍ୟରେ ସ୍ୱେଚ୍ଛାକୃତ ଭାବେ ଜମି ଫେରାଇ ଦେଇଛି। ରାଜ୍ୟରେ ଗତ ୫ ବର୍ଷ ରେ ଶିଳ୍ପସଂସ୍ଥାଗୁଡ଼ିକ ୧୬୮ ଏମ୍ଓୟୁ ସ୍ବାକ୍ଷର କରିଥିଲେ। ଏହା ମଧ୍ୟରୁ ୧୭ଟି ଶିଳ୍ପ ସଂସ୍ଥା ଶୀଘ୍ର କାର୍ଯ୍ୟକ୍ଷମ ହେବ। ଅଦ୍ୟାବଧୂ ଏମ୍ଓୟୁ କରିଥିବା ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରୁ ୨୧ଟି ଶିଳ୍ପସଂସ୍ଥା ପ୍ରକଳ୍ପ ସ୍ଥାପନାରୁ ଓହରି ଯାଇଛନ୍ତି।
ଶିଳ୍ପ ଲାଗି ଇଚ୍ଛା ପ୍ରକାଶ କରିଥିବା ସଂସ୍ଥାଗୁଡିକୁ ଗୋ ସ୍ବିଫ୍ଟ ପୋର୍ଟାଲ ମାଧ୍ୟମରେ ଆବେଦନ ପତ୍ର ଦାଖଲ କରିବାକୁ ଅନୁରୋଧ କରାଯାଇଛି। ମୋଟ ଏମ୍ଓୟୁ ଏବଂ ନିବେଶ ଆଗ୍ର ହ ମିଶାଇଲେ ଏହା ୫୯୩ ହେବ। ଏହା ଦ୍ଵାରା ରାଜ୍ୟରେ ୧୬.୭୩ ଲକ୍ଷ କୋଟିର ନିବେଶ ଏବଂ ୧୨.୮୬ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶାରେ ଇସ୍ପାତ 2 ଳ୍ପ ଲାଗି ୩୧ଟି ଏମ୍ଓୟୁ ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ କେତେ ପରିମାଣର ଲୁହା ପଥର, ଖଣି ଏବଂ ଖଣିଜ ପଦାର୍ଥ ବ୍ୟବହାର ହେବ, ସେ ନେଇ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଆକଳନ କରିବେ । ସେହି ଭଳି ରାଜ୍ୟ ସରକାର ଆଗାମୀ ଦିନରେ ୩୦ଟି ପ୍ରମୁଖ ଖଣିଜ ବୃକ ନିଲାମ ଲାଗି ପ୍ରସ୍ତୁତ ହେଉଛନ୍ତି।
ଏହି ଖଣି ଗୁଡ଼ିକରୁ କେତେ ରାଜସ୍ବ ମିଳିବ ସେ ନେଇ ନିଲାମ ପରେ ପ୍ରକୃତ ଆକଳନ ଆସିପାରିବ। ଏହା ସହ ୧୯ଟି କୃଷି ଓ ଖାଦ୍ୟ ପ୍ରକ୍ରିୟା ଶିଳ୍ପ ମଧ୍ୟ ରାଜ୍ୟ ସରକାରଙ୍କ ସହ ଏଓୟୁ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ କମ୍ପାନିଗୁଡ଼ିଆ ବର୍ଷ ୨୦୨୨-୨୩ ଏବଂ ୨୦୨୩-୨୪ରେ କର୍ପୋରେଟ ସାମାଜିକ ଦାୟିତ୍ବବୋଧ ବାବଦକୁ ୬୧୩.୮୨ କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି।