ଭୁବନେଶ୍ବର: ଆଉ ମାତ୍ର ଦିନ କେଇଟା ପରେ ଉତ୍କର୍ଷ ଓଡିଶା କନକ୍ଲେଭ। ତାପୂର୍ବରୁ ରାଜ୍ୟକୁ ସୁଟୁଛି ପୁଂଜିନିବେଶର ସୁଅ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକରେ ୮ଟି ବୃହତ ପ୍ରକଳ୍ପକୁ ମଂଜୁରୀ ମିଳିଛି। ଏହିସବୁ ପ୍ରକଳ୍ପରେ ୩୨ହଜାର ୭୩୬ କୋଟି ଟଙ୍କାର ପଂଜିନିବେଶ ଲକ୍ଷ୍ୟ ଥିବାବେଳେ ୧୮ ହଜାର ୬୮୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ସରକାର ସମନ୍ବିତ ଶିଳ୍ପର ବିକାଶକୁ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ଆଜି ରସାୟନ, ସବୁଜ ଶକ୍ତି ଯନ୍ତ୍ରପାତି, ଜାହାଜ ତିଆରି ଓ ମରାମତି ସାଙ୍ଗକୁ ଇସ୍ପାତ ଭଳି ପ୍ରକଳ୍ପ ଗୁଡିକୁ ଆଜି ମଂଜୁରୀ ମିଳିଛି। ନିକଟରେ ମୁମ୍ବାଇ, ଦିଲ୍ଲୀ, ସିଙ୍ଗାପୁରରେ ହୋଇଥିବା ରୋଡ ଶୋ ପରେ ରାଜ୍ୟରେ ପୁଂଜିନିବେଶ ପାଇଁ ନିବେଶକଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧିପାଉଥିବା ଲକ୍ଷ୍ୟ କରାଯାଉଛି।
ଜଗତସିଂହପୁର, ସମ୍ବଲପୁର, ଖୋର୍ଦ୍ଧା ଓ ଭଦ୍ରକରେ ହେବାକୁ ଥିବା ଏହି ଶିଳ୍ପଦ୍ବାରା ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ସାଙ୍ଗକୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ ଆଗାମୀ ଦିନରେ ଓଡିଶା ପୁଂଜିନିବେଶର ଅଲଟିମେଟ ଡେଷ୍ଟିନେସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ମଂଜୁରୀ ପାଇଥିବା କମ୍ପାନୀ ମଧ୍ୟରେ ରହିଛି ଖୋର୍ଦ୍ଧାରେ ପ୍ରସ୍ତାବିତ ସବୁଜ ଶକ୍ତି ଯନ୍ତ୍ରପାତି କାରଖାନା। ଏଥିପାଇଁ ଖୋସମା ଗ୍ରୀନ ଏନର୍ଜି ୬୯୪୮ କୋଟି ଟଙ୍କା ନିବେଶ କରିବ। ଜଗତସିଂହପୁରରେ ଧୁନସେରୀ ଭେନଚର୍ସ ପକ୍ଷରୁ ରସାୟନ କାରଖାନା ପାଇଁ ୬୨୫୦ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୟୁନାଇଟେଡ ପେଟ୍ରୋ ସିପିଂ ପକ୍ଷରୁ ୫୬୩୭ କୋଟି ନିବେଶରେ ଜାହାଜ ତିଆରି ଓ ମରାମତି କାରଖାନା ପ୍ରତିଷ୍ଠା କରାଯିବ। ସେହିଭଳି ଗଂଜାମରେ ୟୁପିଏଲ ଲିମିଟେଡ ଓ ଡିସିଏମ ଶ୍ରୀରାମ ପକ୍ଷରୁ ଦୁଇଟି କେମିକାଲ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଯିବ। ଭଦ୍ରକରେ ରତ୍ନମଣି ମେଟାଲ୍ସ ପକ୍ଷରୁ ଷ୍ଟିଲ ରଡ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ସମ୍ବଲପୁରରେ ହିଣ୍ଡାଲକୋ ୨ହଜାର କୋଟି ନିବେଶ କରି ଏକ କେମିକାଲ ଫ୍ୟାକ୍ଟ୍ରି କରିବ।