ଭୁବନେଶ୍ବର: ରାଜ୍ୟରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଆହରଣ ସହ ବ୍ୟବହାର ହୋଇପାରିବ, ସେନେଇ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଉଛି | ଏନେଇ ୫ ପୂର୍ବ ବିଜେଡି ସରକାର ସ୍ବତନ୍ତ୍ର ଭାବେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨ ପ୍ରଣୟନ କରିଥିଲେ। ଏହି ନୀତି ଅଧୀନରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ରିଆତି ବ୍ୟବସ୍ଥା କରିଥିବାବେଳେ ଧୀରେଧୀରେ ନିବେଶକ ମଧ୍ଯ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି କ୍ରମରେ ଗତ ମେକ୍-ଇନ୍-ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର ୮ଟି ବଡ଼ ନିବେଶ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କରିଛନ୍ତି I ଏହି ୮ଟି ଏମଓୟୁ ମାଧ୍ୟମରେ ରାଜ୍ୟକୁ ୭୬୪୦୦ କୋଟି ଟଙ୍କାର ନିବେଶ ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିବାବେଳେ ଏହାଦ୍ବାରା ୧୩୫୧୫ ମେଗାୱାଟ୍ କ୍ଷମତାର ଅକ୍ଷୟ ଶକ୍ତି ଉତ୍ପାଦନ ହୋଇପାରିବ।
ମିଳିଥିବା ସୂଚନା ଅନୁଯାୟୀ, ଭାରୟାୟ ତୈଳ ନିଗମ ଲିମିଟେଡ୍ (ଆଇଓସିଏଲ) ସର୍ବାଧିକ ୨୫ହଜାର କୋଟି ଟଙ୍କା ନିବେଶ ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣା ଣାପତ୍ର ସ୍ବାକ୍ଷର କରିଛି। ଏହାଦ୍ବାରା ରାଜ୍ୟରେ ୫୦୦୦ ମେଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ ହୋଇପାରିବ। ସେହିପରି ଓଏନଜିସି ତ୍ରିପୁରା ପାୱାର କମ୍ପାନୀ(ଓଟିପିସି) ୧୪୫୦୦ କୋଟି ଟଙ୍କା ନିବେଶ କରିବ ବୋଲି ସରକାରଙ୍କ ସହ ବୁଝାମଣା କରିଛି | ଏହି ଅର୍ଥରାଶି ବିନିମୟରେ କମ୍ପାନୀ ୨୪୭.୫ ମେଗାୱାଟର ପବନ ଶକ୍ତି, ୧୧୦୦ ମେଗାୱାଟର ପମ୍ପଡ୍ ଷ୍ଟୋରେଜ ପ୍ରକଳ୍ପ ସହ ଏକ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ ସିଷ୍ଟମ ପ୍ରତିଷ୍ଠା କରିବ ବୋଲି ଜଣାପଡ଼ିଛି I ମହାନଦୀ କୋଲଫିଲ୍ମ ଲିମିଟେଡ୍ (ଏମସିଏଲ) ୧୨ ହଜାର କୋଟି ଟଙ୍କା ନିବେଶ କରିବାକୁ ଯାଉଥିବାବେଳେ ୨୦୦୦ ମେଗାୱାଟର ପ୍ଲୋଟିଂ ସୋଲାର ପ୍ରକଳ୍ପ ସ୍ଥାପନ କରିବ ବୋଲି ଜଣାପଡ଼ିଛି I ସେହିପରି, ରାଜ୍ୟରେ ଆରଇସିପିଡିସିଏଲ ୬,୫୦୦ କୋଟି ନିବେଶ କରିବାକୁ ଥିବା ବେଳେ ଏଚପିସିଏଲ ୨୫୦୦କୋଟି ନିବେଶ କରିବାକୁ ଏମଓୟୁ ସ୍ବାକ୍ଷର କରିଛି । ଉପରୋକ୍ତ ନିବେଶ ପ୍ରସ୍ତାବ ଯଦି ବାସ୍ତବତାର ରୂପ ନିଏ, ତାହେଲେ ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟର ସମ୍ଭାବନା ଉଜ୍ଜ୍ଵଳ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଓଡ଼ିଶା ଆସନ୍ତା ୨୦୩୦ ସୁଦ୍ଧା ମୋଟ ୧୦.୯୫ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖୁଛି | ତନ୍ମଧ୍ୟରୁ ୨୦୩୦ ସୁଦ୍ଧା ଓଡ଼ିଶା ୭.୫ ଗିଗାୱାଟ ସୌରଶକ୍ତି ଉତ୍ପାଦନ କରିବାକୁ ବୃହତ୍ ଲକ୍ଷ୍ୟ ହାସଲ କରିଛି। ବିଶେଷକ ଅଷକରି ନିକଟ ଭବିଷ୍ୟତରେ ବଲାଙ୍ଗିର, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲା ନୂଆ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ହବ୍ ହେବାକୁ ଯାଉଛି I ଏତଦବ୍ୟତୀତ ପମ୍ପଡ୍ ସୋଲାର ପ୍ରକଳ୍ପ, ଫ୍ଲୋଟି ସୋଲାର ପ୍ରକଳ୍ପ, ପବନ ଶକ୍ତି ପ୍ରକଳ୍ପ ମଧ୍ୟ ଅକ୍ଷୟ ଉର୍ଜା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି I