ରାୟଗଡା, ୧୯।୦୨।୨୦୨୫ : ଓଡ଼ିଶାର ରାୟଗଡା ଜିଲ୍ଲାରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାର ଉନ୍ନତି ପାଇଁ ବେଦାନ୍ତ ଆଲୁମିନିୟମର ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ବୁଝାମଣାପତ୍ର ସ୍ୱାକ୍ଷର କରି ୧୦୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାଧୁନିକ ‘ନନ୍ଦଘର’ରେ ପରିଣତ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ବାରା ଅଙ୍ଗନବାଡି କେନ୍ଦ୍ରଗୁଡିକୁ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଅତ୍ୟାଧୁନିକ କେନ୍ଦ୍ରରେ ପରିଣତ କରାଯିବ। ଏହି ବୁଝାମଣାପତ୍ର ସ୍ୱାକ୍ଷର ଉତ୍ସବରେ ରାୟଗଡା ଜିଲ୍ଲାପାଳ ପାରୁଲ ପଟଓ୍ବାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରୋତ୍ସାହନ ଜରିଆରେ ପ୍ରଥମ ପର୍ଯ୍ୟାୟରେ କାଶୀପୁର ବ୍ଲକର ୧୫ଟି ଅଙ୍ଗନବାଡି କେନ୍ଦ୍ରକୁ ଅତ୍ୟାଧୁନିକ ନନ୍ଦଘର ରେ ପରିଣତ କରାଯାଇ ଶିଶୁ ମାନଙ୍କର ପ୍ରାକ୍ ଶୈଶବର ବିକାଶ ପାଇଁ ଉନ୍ନତ ଭିତ୍ତିଭୂମି ଯୋଗାଇ ଦିଆଯିବ । ରାୟଗଡା ବ୍ଲକରେ ଅବଶିଷ୍ଟ ୮୫ଟି କେନ୍ଦ୍ରର ବିକାଶ କରାଯିବ।
ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି ଯେ, “ବେଦାନ୍ତରେ ଆମେ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ, ଯାହା ବେଦାନ୍ତର ମୂଳ ମୂଲ୍ୟବୋଧ ଉପରେ ଆଧାରିତ, ଯାହା କାର୍ଯ୍ୟକ୍ଷମ ଅଞ୍ଚଳରେ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସକାରାତ୍ମକ ଏବଂ ସ୍ଥାୟୀ ପ୍ରଭାବ ସୃଷ୍ଟି କରିଥାଏ। ନନ୍ଦଘର କାର୍ଯ୍ୟକ୍ରମ, ଯାହା ବେଦାନ୍ତର ପ୍ରମୁଖ ସାମାଜିକ ପ୍ରଭାବ ପ୍ରକଳ୍ପ, ମହିଳାମାନଙ୍କୁ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷାର ମୂଳଦୁଆକୁ ମଧ୍ୟ ମଜବୁତ କରିଥାଏ। ରାୟଗଡ଼ାର ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଭାଗିଦାରୀ କରି ଆମେ ଗର୍ବିତ, ଯାହାଦ୍ୱାରା ରାୟଗଡ଼ାର ଲୋକମାନଙ୍କ ଜୀବନରେ ଉନ୍ନତି ଆସିପାରିବ ଏବଂ ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ଯୋଗଦାନ ମିଳିପାରିବ।”
ଉଲ୍ଲେଖନୀୟ ଯେ ୨୦୧୫ରେ ଆରମ୍ଭ ହୋଇଥିବା ନନ୍ଦଘର ହେଉଛି ବେଦାନ୍ତର ପ୍ରମୁଖ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ, ଯାହା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସହଯୋଗରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ତତ୍ତ୍ୱାବଧାନରେ ବିକଶିତ ହୋଇଛି। ଏଠାରେ ୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପ୍ରାକ୍ ବିଦ୍ୟାଳୟ ପ୍ରସ୍ତୁତି, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ଘରକୁ ରାସନ ଯୋଗାଣ ମାଧ୍ୟମରେ ସୁସ୍ଥ ପୋଷଣ,ସ୍ୱାସ୍ଥ୍ୟକର୍ମୀଙ୍କମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ମହିଳାମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ସେବା ପ୍ରଦାନ କରିଥାଏ।
ବର୍ତ୍ତମାନ ଓଡ଼ିଶାରେ ପାଖାପାଖି ୫୦୦ଟି ନନ୍ଦଘର କାର୍ଯ୍ୟକରୁଛି, ଯେଉଁଥିରେ ୮ଟି ଜିଲ୍ଲାର ୧୮,୦୦୦ ଶିଶୁ ଏବଂ ୫୦୦୦ରୁ ଉର୍ଦ୍ଧ ମହିଳା ଉପକୃତ ହେଉଛନ୍ତି। ସୂଚନାଯୋଗ୍ୟ, ବେଦାନ୍ତ ଆଲୁମିନିୟମଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ପଦକ୍ଷେପଗୁଡ଼ିକ ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ। ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ସମୁଦାୟ ସଦସ୍ୟଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ ଦେଇଥାଏ।