ରାଉରକେଲା: ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ମାନ୍ୟତାପ୍ରାପ୍ତ ମହାରତ୍ନ କମ୍ପାନୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ଅନ୍ୟତମ ୟୁନିଟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀଙ୍କୁ ମାନସିକ ପରାମର୍ଶ ସହ ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବା ଲକ୍ଷ୍ୟରେ କର୍ମଚାରୀଭିଭିକ ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ‘ସମାଧାନ’ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦେଶକ ତରୁଣ ମିଶ୍ର ଅଧ୍ୟକ୍ଷତା କରିଥିଲେ। କାରଖାନାର ସମସ୍ତ ସିଜିଏମ, ବହୁ ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ଵୟନ କରୁଥିବା ବୃଭିଗତ ସଂସ୍ଥା ମେସର୍ସ ଇଏପି ପ୍ରାଇଭେଟ୍ ଲିମିଟେଡର ପ୍ରତିନିଧୂ ଉପସ୍ଥିତ ଥିଲେ। ଏଚଆର ବିଭାଗର ସିଜିଏମ ଏସ ଏନ ପଣ୍ଡା ସଂଯୋଜନା କରିଥିଲେ। ଉଲ୍ଲେଖଯୋଗ୍ୟ ମେସର୍ସ ଇଏପି ପ୍ରାଇଭେଟ ଲିମିଟେଡର ପ୍ରତିନିଧି ମାର୍ଚ୍ଚ ୩ରୁ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆରଏସପି ଓଡ଼ିଶା ଗ୍ରୁପ ଓ ମାଇନ୍ସ ସମୂହଙ୍କ ସହ ମତ ବିନିମୟ କରିବେ।
ଏହି ଅବସରରେ ଶ୍ରୀ ମିଶ୍ର ନିଜର ଅଭିଭାଷଣରେ ଏକ ସୁସ୍ଥ ଏବଂ ଉତ୍ପାଦନକ୍ଷମ ଶ୍ରମଶକ୍ତିର ମହତ୍ତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ। ସେଲ ଦ୍ବାରା ପ୍ରଚଳିତ ଏଭଳି ଅନନ୍ୟ ସୁଯୋଗର ପୂର୍ଣ୍ଣ ଲାଭଉଠାଇବା ପାଇଁ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ଆଇଜିଏଚର ନୂତନ ସମ୍ମିଳନୀ ହଲରେ ଅପରାହ୍ନରେ ଏକ ସଂକ୍ଷୀପ୍ତ ଆଲୋଚନା ଏବଂ ମତବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା। ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦେଶକ ତରୁଣ ମିଶ୍ର ଏବଂ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ବିଭାଗର ସିଏମଓ ଇନ-ଚାର୍ଜ ଡକ୍ଟର ଜୟନ୍ତ କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ହସ୍ପିଟାଲର ସମସ୍ତ ଡାକ୍ତର ଯୋଗ ଦେଇଥିଲେ। ପରେ ଗୋପବନ୍ଧୁ ଅଡିଟୋରିୟମରେ ମଧ୍ୟ ଅନୁରୂପ ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଥିରେ ୨୦୦ରୁ ଅଧୂକ କର୍ମଚାରୀଙ୍କୁ ଉକ୍ତ ଏଚଆର ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଥିଲା। ଏହାପରେ ‘ସମାଧାନ’ ସମ୍ମିଳନୀ ହଲରେ ଏଟିଆର ଅଧିକାରୀଙ୍କ ନିମନ୍ତେ ଆଉ ଏକ ଅଧୂବେଶନ ଆୟୋଜିତ ହୋଇଥିଲା। ଏସ ଏନ ପଣ୍ଡା ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ସମ୍ପ୍ରତି ସେଲ ସମସ୍ତ କର୍ମଚାରୀ ଏବଂ ନିର୍ଭରଶୀଳ ତିନିଜଣ ପରିବାର ସଦସ୍ୟଙ୍କ ପାଇଁ ଏହି ପରାମର୍ଶ ସେବା ଆରମ୍ଭ କରିଛି।
ଏହି କାର୍ଯ୍ୟ ସମ୍ପାଦନ ପାଇଁ ମେସର୍ସ ଇଏପି ପ୍ରାଇଭେଟ ଲିମିଟେଡକୁ ଏହି ସେବା ପ୍ରଦାନକାରୀ ସଂସ୍ଥା ଭାବରେ ମନୋନୀତ କରାଯାଇଛି। ଉପରୋକ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଗୋପନୀୟ ରହିବ ଏବଂ ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟଙ୍କ ପାଇଁ ବିଶେଷଜ୍ଞ ସହାୟତା ଉପଲବ୍ଧ କରାଯିବ। ଏହି ପ୍ରୟାସ ଅଧୀନରେ ମାନସିକ ସ୍ବାସ୍ଥ୍ୟ ଏବଂ ଭାବପ୍ରବଣତା ଚାପର ପରିଚାଳନା, ଆର୍ଥିକ ଏବଂ ଆଇନଗତ ଚିନ୍ତା, କାର୍ଯ୍ୟ-ଜୀବନ ସନ୍ତୁଳନତା ଏବଂ ପରିବାର ଏବଂ ସମ୍ପର୍କ ସମସ୍ୟା ସମେତ ବିଭିନ୍ନ ବ୍ୟକ୍ତିଗତ ଏବଂ କାର୍ଯ୍ୟ-ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଅଭିଜ୍ଞ ବ୍ୟକ୍ତିମାନେ ମାର୍ଗଦର୍ଶନ ଏବଂ ପରାମର୍ଶ ପ୍ରଦାନ କରିବେ ବୋଲି ଆରଏସ୍ପି ପକ୍ଷରୁ ଏକ ଇସ୍ତାହାରରେ ଦର୍ଶାଯାଇଛି ।