ରାଉରକେଲା: ସେଲ୍, ରାଉରକେଲା ଇସ୍ପାତ କାରଖାନାର ବାର୍ଷିକ ୨ ନିୟୁତ ଟନ କ୍ଷମତା ବିଶିଷ୍ଟ ପେଲେଟ୍ ପ୍ଲାଣ୍ଟ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ ସମାରୋହ ଫେବୃଆରୀ ୨୬ ତାରିଖରେ ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୁଦୀପ ପାଲ ଚୌଧୁରୀଙ୍କ ଦ୍ବାରା ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଆରଏସପିର ପ୍ରକଳ୍ପ ବିଭାଗର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ପି.କେ ସାହୁ, ପ୍ରକଳ୍ପ ବିଭାଗର ସିଜିଏମ ପିନାକୀ ଚୌଧୁରୀ, ରକ୍ଷଣାବେକ୍ଷଣ ବିଭାଗର ସିଜିଏମ ଏସ. ଏସ. ରାୟଚୌଧୁରୀ, ବିଦ୍ୟୁତ ବିତରଣ ବିଭାଗର ସିଜିଏମ, ଡି.କେ ଭଞ୍ଜଙ୍କ ସମେତ ଆରଏସପି ସିଇଟି ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ମେସର୍ସ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ମେସର୍ସ ରୋଜମେରୀ ସ୍ପଞ୍ଜ ଏବଂ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ର ଅଧୂକାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୧୪ ତାରିଖରେ ଆରଏସପିରେ “ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଆଧାରରେ ସ୍ଥାପନ ହେବାକୁ ଥିବା ବାର୍ଷିକ ୨ ନିୟୁତ ଟନ କ୍ଷମତା ବିଶିଷ୍ଟ ପେଲେଟ୍ ପ୍ଲାଣ୍ଟ ପାଇଁ ମେସର୍ସ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ ଏବଂ ମେସର୍ସ ରୋଜମେରି ସ୍ପଞ୍ଜ ଇସ୍ପାତ ପ୍ରାଇଭେଟ ଲିମିଟେଡର ଅଧିକାରୀଙ୍କ ସହିତ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଏହି ବାର୍ଷିକ ୨ ନିୟୁତ ଟନ କ୍ଷମତା ବିଶିଷ୍ଟ ପେଲେଟ୍ ପ୍ଲାଣ୍ଟ, ଆରଏସପିର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ସହିତ ଏହାର କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ଆଣିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ।
ଏହି ପ୍ରକଳ୍ପ ଚୁକ୍ତିନାମା ସ୍ବାକ୍ଷରିତ ହେବା ଦିନଠାରୁ ୨୪ ମାସ ମଧ୍ୟରେ ସମାପ୍ତ ହେବାକୁ ସ୍ଥିର କରାଯାଇଛି। ଏହି ଚୁକ୍ତିନାମାରେ ୨୦ ବର୍ଷର ଏକ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଅବଧି ଅନ୍ତର୍ଭୁକ୍ତ ଯେଉଁଥରେ ପାରସ୍ପରିକ ସହମତିରେ ହୋଇଥିବା ନିୟମ ଏବଂ ସର୍ଭାବଳୀ ଉପରେ ଏହାକୁ ଅତିରିକ୍ତ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ଉକ୍ତ ପ୍ରକଳ୍ପର ସାମଗ୍ରିକ ପରାମର୍ଶଦାତା ସିଇଟି ହୋଇଥିବା ବେଳେ ପିଡବ୍ଲୁସି ଏହାର ସହଯୋଗୀ ପରାମର୍ଶଦାତା ଭାବରେ ନିୟୋଜିତ ହୋଇଛନ୍ତି।