ଭୁବନେଶ୍ବର: ଖଣି-ଖାଦାନ ସୀମାଠାରୁ ପାଞ୍ଚ କିଲୋମିଟର ଅଞ୍ଚଳ ମଧ୍ୟରେ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ (ଡିଏମ୍ଏଫ୍) ଫଣ୍ଡ୍ ଦ୍ୱାରା ସ୍ଥିର କରାଯାଇଥିବା ସମସ୍ତ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ସାଚୁରେସନ୍ (ପରିପୁଷ୍ଠ) ମୋଡ୍ରେ କରାଯିବ। ରାଜ୍ୟ ସରକାରଙ୍କ କ୍ୟାବିନେଟ୍ କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ କରାଯାଇଥିଲା। ଖଣି ଅଞ୍ଚଳରେ ରହୁଥିବା ପରିବାରମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ୟ ହରାଇଛନ୍ତି । ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି।
ଏହି ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି (ଡିଏମ୍ଏଫ୍) ଗଠନ କରାଯାଇଥିଲା। ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଛି। ଏହି ବ୍ୟବସ୍ଥାଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ପ୍ରଚଳିତ ଡିଏମ୍ଏଫ୍ ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି। ଏହି ସଂଶୋଧନରେ ଅନେକ ନୂତନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହୋଇଛି ଯାହା ଏ ପର୍ଯ୍ୟନ୍ତ ଉପଲବ୍ଧ ନଥିଲା। ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ତାଲିକା କେବଳ ଡିଏମ୍ଏଫ୍ ଟ୍ରଷ୍ଟ ନିର୍ଦ୍ଧାରଣ କରିବ ଏବଂ ତାହାକୁ ଅନ୍ୟ କେହି ନିର୍ଦ୍ଧାରଣ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ। ଏହି ସଂଶୋଧନ ଦ୍ବାରା ଖଣି ଅଞ୍ଚଳର ପରିବାରଗୁଡ଼ିକୁ ଲାଭଜନକ ଜୀବିକା, ଦକ୍ଷତା ବିକାଶ, କୃଷି ସହାୟତା ଇତ୍ୟାଦି ମିଳିପାରିବ। ସଂଶୋଧିତ ନିୟମାବଳୀ ଅନୁସାରେ ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ ସୀମା ୧୦ କିଲୋମିଟରରୁ ବୃଦ୍ଧି କରି ୧୫ କିଲୋମିଟର କରାଯାଇଛି। ସେହିପରି ପରୋକ୍ଷ ପ୍ରଭାବିତ ଅଞ୍ଚଳର ସର୍ବାଧିକ ସୀମା ୨୫ କିଲୋମିଟରରେ ସୀମିତ ରଖାଯାଇଛି।