ଭୁବନେଶ୍ବର: ରାଜ୍ୟରେ ମାତିଛନ୍ତି ଲଘୁଖଣିଜ ଲୁଟେରା। ବ୍ୟାପକ ଚଢ଼ଉ ପରେ ବି ବାଲି, ମୋରମ ଓ ପଥର ଭଳି ଲଘୁଖଣିଜ ପଦାର୍ଥର ଚୋରାଚାଲାଣ ଥମୁନାହିଁ। ଜାଲ୍ ଟ୍ରାଞ୍ଜିଟ୍ ପାସ୍ ଜରିଆରେ ଲୁଟ୍ ଜାରି ରହିଛି। ଗତ ୪ବର୍ଷରେ ସବୁ ଜିଲ୍ଲାରେ ଲକ୍ଷେରୁ ଅଧିକ ଚଢ଼ଉ ହୋଇଥିବାବେଳେ ୨୩୨ କୋଟିର ଜରିମାନା ଆଦାୟ କରାଯାଇଛି। ତଥାପି ଲଘୁଖଣିଜ ଲୁଟ୍ରେ ସଂପୂର୍ଣ୍ଣ ରୋକ୍ ଲାଗିପାରି ନାହିଁ।
ରାଜ୍ୟରେ ଲଘୁଖଣିଜ ପଦାର୍ଥ ଲୁଟ୍କୁ ନେଇ ଏକାଧିକ ବିଧାୟକ ବିଧାନସଭାରେ ଏ ସଂପର୍କରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ତଥ୍ୟ ଅନୁସାରେ, ଗଞ୍ଜାମ, କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଚଢ଼ଉ ଓ ଜରିମାନା ଆଦାୟ କରାଯାଇଛି। ୨୦୨୧-୨୨ରେ ଗଞ୍ଜାମରେ ୯୭୩୫, ୨୦୨୨-୨୩ରେ ୧୦ହଜାର ୭୧୭ ଓ ୨୦୨୩-୨୪ରେ ୧୩୧ଟି ଚଢ଼ଉ ହୋଇଛି। କେନ୍ଦ୍ରାପଡ଼ାରେ ସମାନ ବର୍ଷରେ ୩୫୬୭, ୨୮୪୫ ଓ ୫୫ ଥର ଚଢ଼ଉ କରାଯାଇଛି। ଖାଦାନମାନଙ୍କରେ ହସ୍ତଲିଖିତ ଚାଲାଣ ବଦଳରେ ଆଇ୪ଏମ୍ଏସ୍ ଦ୍ବାରା ଅନ୍ଲାଇନ୍ରେ ଟ୍ରାଞ୍ଜିଟ୍ ପାସ୍ର ବ୍ୟବସ୍ଥା କରାଯାଇଛି।
ଖାଦାନ ପରିସୀମା ଜାଣିବା ପାଇଁ ସମସ୍ତ ଖାଦାନ ମାଲିକମାନଙ୍କୁ ଡିଜିପିଏସ୍ ନକ୍ସାରେ ଥିବା ଅକ୍ଷାଂଶ ଓ ଦ୍ରାଘିମା ପଏଣ୍ଟ ଅନୁସାରେ ଖମ୍ବ ସ୍ଥାପନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବହନ ରେଜିଷ୍ଟ୍ରାର କାର୍ଯ୍ୟକାରୀ କରିବାକୁ ମଧ୍ୟ କୁହାଯାଇଛି। ନିଲାମଧାରୀଙ୍କୁ ନିଜ ନିଜ ଖାଦାନ ପରିସରରେ ସିସିଟିଭି କ୍ୟାମେରା ଲଗାଇବା ଓ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ହୋଇଛି। ଜିଲ୍ଲାସ୍ତରୀୟ ଖଣି ଅଧିକାରୀଙ୍କ ପାଖେ ସ୍ବତନ୍ତ୍ରଭାବେ ଫୋର୍ସ ଉପଲବ୍ଧ ରହିବା ପାଇଁ ଓଡ଼ିଶା ଶିଳ୍ପ ସୁରକ୍ଷା ଫୋର୍ସ ନିୟୋଜିତ କରିବାର ବ୍ୟବସ୍ଥା ସରକାରୀ ସ୍ତରରେ ଅନୁମୋଦିତ ହୋଇଛି। ଉଚ୍ଚ ନ୍ୟାୟଳୟଙ୍କ ୨୦୨୩ର ନିର୍ଦ୍ଦେଶ ଅନୁଯାୟୀ ସକାଳ ୭ଟାରୁ ରାତି ୯ଟା ଭିତରେ ବାଲି ଚାଲାଣ ନ କରିବାକୁ କୁହାଯାଇଛି।