ଭୁବନେଶ୍ଵର : ୨୦୨୩ ପରଠାରୁ ରାଜ୍ୟରେ ଗୋଟିଏ ବି ଖଣି ନିଲାମ ହୋଇନି | କିନ୍ତୁ ଆମେ ଚଳିତବର୍ଷ ୩୦ଟି ଖଣି ଉତ୍ସ ନିଲାମ କରିବାକୁ ଯୋଜନା ହୋଇଛି। ଏଥିରୁ ୮ଟି ଖଣି ନିଲାମ ପାଇଁ ଗତ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଖୁବ୍ଶୀଘ୍ର ବାକି ଖଣି ନିଲାମ ନେଇ ପର୍ଯ୍ୟାୟକ୍ରମେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଆଜି ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ରାଜ୍ୟରେ ଏବେ ଗୁରୁ, ବିନିର୍ଦ୍ଦିଷ୍ଟ ଲଘୁ ଏବଂ ଦୁଷ୍ପାପ୍ୟ ଖଣିଜ ପଦାର୍ଥର ୩୮୩ଟି ଉତ୍ସ ରହିଛି। ସେଥିରୁ ୨୦୧ଟି କାର୍ଯ୍ୟରତ ଥିବାବେଳେ ୧୮୨ଟି ବିଭିନ୍ନ କାରଣରୁ କାର୍ଯ୍ୟକ୍ଷମ ନାହିଁ। ୨୦୧୫ ମସିହାରେ ଏମ୍ଏମ୍ଡିଆର ଆକ୍ସରେ ସଂଶୋଧନ ପରେ ରାଜ୍ୟ ସରକାର ୪୭ଟି ଖଣି ନିଲାମ କରିଥିବାବେଳେ କେନ୍ଦ୍ର ସରକାର ୩ଟି ଗ୍ରାଫାଇଟ୍ ଖଣି ନିଲାମ କରିଛନ୍ତି।
ଏହାସହ ସେ କହିଛନ୍ତି ଯେ ଏବେ ରାଜ୍ୟରେ ୩୮ଟି କ୍ୟାପଟିଭ୍ ଓ ୩୪୫ଟି ନନ୍ କ୍ୟାପଟିଭ୍ ଖଣି ରହିଛି। ୨୦୧୫ ପୂର୍ବରୁ କାର୍ଯ୍ୟକାରୀ ଥିବା କ୍ୟାପଟିଭ୍ ଖଣିଗୁଡ଼ିକର ଅବଧି ମାର୍ଚ୍ଚ ୩୧, ୨୦୩୦ ପର୍ଯ୍ୟନ୍ତ ରହିଛି। ଅପରପକ୍ଷେ ଖଣିଜ ବ୍ଲକ ନିଲାମ ପରେ ସମସ୍ତ ବୈଧାନିକ ଅନୁମତି ଆଣିବାକୁ ନିଲାମଧାରୀଙ୍କୁ ତିନିରୁ ୫ବର୍ଷ ଲାଗିଥାଏ। ତେଣୁ ଶୀଘ୍ର ଖଣିଜ ଉତ୍ପାଦନ କରାଯିବା ଲକ୍ଷ୍ୟରେ ପ୍ରଥମଥର ପାଇଁ ସମସ୍ତ ପ୍ରକାରର ମଞ୍ଜୁରି ଥାଇ ଦୁଇଟି ଖଣିଜ ବ୍ଲକ୍ ଯଥା ଲୌହ-ମାଙ୍ଗାନିଜ୍ ବ୍ଲକ୍ ଏବଂ କାଲିମାଟି ଲୌହ ବ୍ଲକ୍ରେ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଦ୍ବାରା ଆନୁଷଙ୍ଗିକ ପ୍ରାକ୍ ନିଲାମ କାର୍ଯ୍ୟ ଚାଲୁ ରହିଛି।
ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏଥର ଅଧିକ ଖଣିଜ ଉତ୍ପାଦନ ହୋଇଥିଲେ ମଧ୍ୟ ରାଜସ୍ବ କମିଛି। କାରଣ ଖଣିଜର ହାରାହାରି ବିକ୍ରୟ ମୂଲ୍ୟ କମିଯାଇଛି। ୨୦୨୩-୨୪ରେ ୪୧୦,୨୭୩ ମିଲୟନ୍ ମେଟ୍ରିକ ଟନ୍ ଉତ୍ପାଦନ ହୋଇଥିବାବେଳେ ୪୦୮,୪୪୯ ମିଲିୟନ ମେଟ୍ରିକ ଟନ୍ ନିର୍ଗମନ ହୋଇଥିଲା। ଏହା ବାବଦକୁ ୪୨୭୯୧,୯୫୯କୋଟି ମିଳିଥିଲା ୨୦୨୪-୨୫ରେ ୪୪୩.୮୪୦ ମିଲିୟନ ମେଟ୍ରିକ ଟନ୍ ଉତ୍ପାଦନ ହୋଇଥିବାବେଳେ ୪୨୯.୩୪୪ ମିଲିୟନ ମେଟ୍ରିକ ଟନ୍ ନିର୍ଗମନ ହୋଇଛି | ଏହା ବାବଦକୁ ୩୯୨୪୨.୪୫୧ ଟଙ୍କା ରାଜସ୍ବ ଆଦାୟ ହୋଇଛି |
ଏହି ଅବସରରେ ମନ୍ତ୍ରୀ ପୂର୍ବ ସରକାରକୁ କଟାକ୍ଷ କରି କହିଥିଲେ ଏକ୍ ଆଦମି ସବକୋ ଉଲୁ ବନା ଦିୟା ସବକା ମୁହୁଁ ବନ୍ଦ କର୍କେ ଅକେଲା ଶଙ୍ଖ ବଜାୟା। ରାଜା ଚକ୍ରର ଉଦାହରଣ ଦେଇ କିପରି ଖଣି ଲୁଟ୍ ହୋଇଛି ମନ୍ତ୍ରୀ ତାହା କହିଥିଲେ। ସେହିପରି ଖଣି ବିଭାଗରେ ଆବଶ୍ୟକ ଭିତ୍ତିଭୂମି ନଥାଇ କିପରି ଲଘୁ ଖଣିଜ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ଆସିଲା ସେନେଇ ପ୍ରଶ୍ନ ଉଠାଇଛନ୍ତି। ଏହାସହ କହିଛନ୍ତି ଯେ ପଞ୍ଚାୟତସ୍ତରରେ କିପରି ଲୋକମାନେ ସୁବିଧାରେ ଓ ଶସ୍ତାରେ ବାଲି ପାଇବେ ସେଥିପାଇଁ ସରପଞ୍ଚମାନଙ୍କୁ ଅଧିକ ଦାୟିତ୍ଵ ଦିଆଯାଇଛି।
ବାଣିଜ୍ୟ ଓ ପରିବହନ ବିଭାଗ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ସାରା ଦେଶରେ ଏବେ ୧୦୦ଟି ବସ୍ରେ ୭ଟି ଇଭି ବସ୍ ଚାଲୁଥିବାବେଳେ ଆମର ୧୦୦ଟି ବସ୍ରେ ୯ଟି ଇଭି ବସ୍ ଚାଲୁଛି ଆମର ଇଭି ସବ୍ସିଡି ପୋର୍ଟାଲ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। ଏବେ ରାଜ୍ୟରେ ୨୩ଟି ସ୍ଥାନରେ ଟ୍ରକ୍ ଟର୍ମିନାଲ ନିର୍ମାଣ କରାଯାଉଛି। ସଡ଼କ ଦୁର୍ଘଟଣା କିପରି କମିବ ସେନେଇ ବ୍ୟାପକ ପଦକ୍ଷେପ ନିଆଯାଉଛି। ଡ୍ରାଇଭରମାନଙ୍କୁ ଦକ୍ଷ କରିବା ପାଇଁ ସବୁ ଆର୍ଟିଓରେ ସ୍ବୟଂଚାଳିତ ଡ୍ରାଇଭିଂ ଟେଣ୍ଟିଂ ସିଷ୍ଟମ୍ ଲାଗୁ ହେବା ଲକ୍ଷ୍ମୀ ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ ହେବ ଏଥିରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ମହିଳା, କିନ୍ନରଙ୍କୁ ଭଡ଼ା ଉପରେ ୫୦% ରିହାତି ଦିଆଯିବା ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ପାଇଁ ତିରୁପତି, ଇନ୍ଦୋର-ଉଜୈନ, ଶିରିଡ଼ି ଭାୟା ନାଗପୁର, ଅଯୋଧ୍ୟା ଭାୟା ବାରଣାସୀ, ହାଇଦ୍ରାବାଦ ଭାୟା ବିଶାଖାପାଟଣା, ଭିଲାଇ ଭାୟା ରାୟପୁରକୁ ବସ୍ ଚଳାଚଳ କରିବା ବେସାମରିକ ବିମାନ ଚଳାଚଳକୁ ବୃଦ୍ଧି କରିବାକୁ ବିଭିନ୍ନ ରୁଟ୍ରେ ଏୟାରଲାଇନ୍ସକୁ ସବ୍ସିଡି ଦେଇ ବିମାନ ଚଳାଚଳ ଆରମ୍ଭ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।