ଭୁବନେଶ୍ଵର: ପ୍ରତି ୭ ବର୍ଷରେ ଦେଶର ଜିଡିପି ୨ ଗୁଣ ହେଉଛି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ। ଦେଶର ଡିଏନ୍ସରେ ରହିଛି ପର୍ଯ୍ୟଟନ। ଏବେ ଦେଶର ମୋଟ୍ ଘରୋଇ ଉତ୍ପାଦକୁ ଏହି କ୍ଷେତ୍ର ୫.୬% ଯୋଗଦାନ ଦେଉଛି। ଏହା ୨୦୨୭ ବେଳକୁ ୧୦%କୁ ବଢ଼ିବ ବୋଲି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ରାଜ୍ୟ ପର୍ଯ୍ୟଟନ ବିଭାଗ, ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଆସନ୍ତା ୨୭ ଯାଏ ଅନୁଷ୍ଠିତ ହେବାକୁ ଥିବା ୬ଷ୍ଠ ସଂସ୍କରଣ ଟ୍ରାଭେଲ ବଜାରକୁ ଆଜି ଶୁଭାରମ୍ଭକରିଥିଲେ ଶ୍ରୀ ଶେଖାୱତ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ, ମୁଖ୍ୟ ସଚିବ ମନୋଜ ଆହୁଜା, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ସମର୍ଥ ବର୍ମା, ସ୍ୱସ୍ତି ସିଏମ୍ଡି ଜେକେ ମହାନ୍ତି, ଫିକିର ବରିଷ୍ଠ ପରାମର୍ଶଦାତା ମାନବ ମୁଜୁମଦାର ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶେଖାୱତ କହିଥିଲେ, ଏବେ ଦେଶରେ ଏକ୍ସପେରିଏନ୍ସି ଆଲ୍ ଟୁରିଜିମର ନୂଆ ଟ୍ରେଣ୍ଡ୍ ଦେଖାଯାଇଛି। ୬୦% ରୁ ଉର୍ଦ୍ଧ ଯୁବବର୍ଗ ଏକ୍ସପେରିଏକ୍ସିଆଲ୍ ଟୁରିଜିମକୁ ଏବେ ପ୍ରାଥମିକତା ଦେଉଛନ୍ତି। ଦେଶରେ ଆଭ୍ୟନ୍ତରୀଣ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଏବେ ପର୍ଯ୍ୟଟନରେ ଦେଶ ସାରା ବିଶ୍ଵରେ ୧୨ ନମ୍ବର ସ୍ଥାନରେ ଥିବା ବେଳେ ଟପ୍ ୧୦ ମଧ୍ୟରେ ଶୀଘ୍ର ସାମିଲ ହେବ। ଏ ଦିଗରେ ଦେଶର ୫୦ ପ୍ରମୁଖ ସ୍ଥାନକୁ ଆଇକନିକ ପ୍ଲେସ୍ ବିକଶିତ କରାଯାଉଛି । ଶ୍ରୀ ଶେଖାୱତ ପୁଣି କହିଲେ, ରାଜ୍ୟ ଗୁଡିକ ମଧ୍ୟରେ ପର୍ଯ୍ୟଟନକୁ ନେଇ ପ୍ରତିଯୋଗିତା ବଢ଼ିଛି। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଶ୍ଵ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି। ତେବେ ରାଜ୍ୟ ନୂଆ ସମ୍ଭାବନାକୁ ପରଖୁ। କ୍ରୁଜ ଭିଭିକ ଟୁରିଜିମ, କାରାଭାନ, ଟ୍ରାଇବାଲ ଟୁରିଜିମ ଏବଂ ହୋମ୍ ଷ୍ଟେ ଭଳି ଅଭିନବ କନସେପ୍ଟକୁ ରାଜ୍ୟ ପରଖୁ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା କହିଥିଲେ, ଏବେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆଉ ଗୋଟିଏ ସୋପାନକୁ ନେଇଯିବା ଲାଗି ଅଭିନବ ଚିନ୍ତାଧାରା ଉପରେ କାମ କରୁଛି। ଏ ନେଇ କେନ୍ଦ୍ର ସରକାର ଏବଂ ଅଂଶୀଦାରଙ୍କ ସହ ମିଳିତ ହୋଇ ସମ୍ଭାବନାର ପ୍ରତିଦିଗ ଉପରେ କାମ କରିବା ଉପରେ ଆମ ଫୋକସ ରହିଛି। ପର୍ଯ୍ୟଟନକୁ ଅଭିବୃଦ୍ଧି ଏବଂ ନିଯୁକ୍ତିର ଏକ ପ୍ରମୁଖ ଟୁଲ୍ ଭାବେ ବ୍ୟବହାର କରିବା ସହ ବିଶ୍ଵ ସାମ୍ନାରେ ରାଜ୍ୟର ପର୍ଯ୍ୟଟନ ସମ୍ଭାବନକୁ ପ୍ରଦର୍ଶନ କରିବାକୁ ଅଂଶୀଦାର ମାନେ ଆଗେଇ ଆସନ୍ତୁ। ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ। ଉତ୍କର୍ଷ ଓଡ଼ିଶାରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ୮ ହଜାର କୋଟିର ନିବେଶ ଆଗ୍ରହ ଲାଭକରିଥିବା ଶ୍ରୀମତି ପରିଡା ଉଲ୍ଲେଖ କରିଛନ୍ତି।
ମୁଖ୍ୟ ସଚିବ ଶ୍ରୀ ଆହୁଜା କହିଲେ, ପର୍ଯ୍ୟଟନ କ୍ଷେତ୍ର ଲାଗି ନୀତିଗତ ପଦକ୍ଷେପ ସହ ରାଜ୍ୟ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଗ୍ରହଣ କରିବ। ରାଜ୍ୟର ଆର୍ଥିକ ସ୍ଥିତି ଦୃଢ଼ ଥିବାରୁ ଭିଭିଭୂମି ସହ ସବୁ ସହଯୋଗ ସରକାର ପ୍ରଦାନ କରିବେ। ବିଭାଗୀୟ ସଚିବ ଶ୍ରୀ ସିଂ ରାଜ୍ୟର ପର୍ଯ୍ୟଟନ ସମ୍ଭାବନା ଉପରେ ଉପସ୍ଥାପନା ରଖିଥିଲେ । ଫିକି ପର୍ଯ୍ୟଟନ କମିଟି ସହ ଅଧ୍ଯକ୍ଷ ତଥା ସ୍ବସ୍ତି ଗ୍ରୁପ ସିଏମ୍ଡି ଜେକେ ମହାନ୍ତି କହିଲେ, ଓଡ଼ିଶାକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଦୃଢ଼ ଭାବେ ଉପସ୍ଥାପିତ କରାଯିବାର ଆବଶ୍ୟକତା ରହିଛି। ଓଡ଼ିଶାକୁ ଜାଣିବାକୁ ହେଲେ ଏଠାରେ ଅଧିକ ସମୟ ଅତିବାହିତ କରିବାକୁ ହେବ। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନକୁ ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା ଏବଂ ଟ୍ୟାଗ୍ଲାଇନ କଣ୍ଟେଷ୍ଟ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ୧୩୦ ଟୁର ଅପରେଟର ଯୋଗ ଦେଇଛନ୍ତି।