ଝାରସୁଗୁଡ଼ା: ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼ରେ ସମାନ୍ତରାଳ ଖଣି ଖୋଳି କୋଇଲା ଚୋରି ଘଟଣାରେ ତମ୍ବିତୋଫାନ ଜାରି ରହିଛି। ଝାରସୁଗୁଡ଼ା ଜିଲ୍ଲାରେ ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ସମାନ୍ତରାଳ ଖଣିର ସନ୍ଧାନ ମିଳିନି, କିନ୍ତୁ ଏମ୍ସିଏଲ୍ର ଖଣିରୁ କୋଇଲା ଚୋରା ଚାଲାଣର ଏକ ବଡ଼ ରାକେଟ୍ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଯାଏଁ ଲମ୍ବିଥିବା ଚିତ୍ର ସାମ୍ନାକୁ ଆସିଛି। ଏହି ଚୋରି ରାକେଟ୍ରେ ମାଫିଆଙ୍କ ସାହାରା ପାଲଟିଛନ୍ତି ମୋପେଡ୍ ମ୍ୟାନ୍ | ଅଭିଯୋଗ ହେଲେ ଝାରସୁଗୁଡ଼ା ପୁଲିସ୍ ୪-୫ ମାସରେ ଥରେ ମାମଲା ରୁଜୁ କରି କିଛି ମୋପେଡ୍ ଚାଳକଙ୍କୁ ଧରି କୋର୍ଟ ଚାଲାଣ କରିଦେଉଥିବାବେଳେ ଅଦ୍ୟାବଧି କିନ୍ତୁ ମାଫିଆଙ୍କ ନିକଟରେ ପହଞ୍ଚିପାରିନି।
ଜିଲ୍ଲାର ଲଖନପୁର କ୍ଷେତ୍ର ଓ ଇବ୍ କ୍ଷେତ୍ରରେ ମୁଖ୍ୟତଃ କୋଇଲା ଖଣି ରହିଛି। ଜିଲ୍ଲାରେ କାର୍ଯ୍ୟରତ ୮ଟି ଖଣି ଓ ୨ ପୁରାତନ ଖଣିରୁ ଦୈନିକ ୨୦ ଟନ୍ରୁ ଅଧିକ କୋଇଲା ଚୋରି ହେଉଥିବା ଅଭିଯୋଗ ହେଉଛି | ଖଣିରୁ କୋଇଲା ଉତ୍ତୋଳନ ହୋଇ ପରିବହନ ପାଇଁ ଗଚ୍ଛିତ ରଖାଯାଉଥିବା ସ୍ଥାନରୁ ହିଁ ମୁଖ୍ୟତଃ କୋଇଲା ଚୋରି ହେଉଛି କେଉଁଠି ସିଧାସଳଖ ଖଣିରୁ ସୁରକ୍ଷା କର୍ମୀଙ୍କୁ ଟ୍ରିପ୍ ପିଛା ୫୦ ଟଙ୍କା ଦେଇ ତ’ କେଉଁଠି ରେଲୱେ ସାଇଡିଂରୁ ମନଇଚ୍ଛା ଚୋରି କରି କୋଇଲା ଅଣାଯାଉଛି! ଏହି କୋଇଲା ଚାଲାଣର ୨ ପ୍ରକାର ବ୍ୟବସ୍ଥା ଖଣି ପାଖ ଅଞ୍ଚଳରେ ଜାରି ରହିଛି। ପ୍ରଥମ ବ୍ୟବସ୍ଥାରେ ଖଣିରୁ ଆସୁଥିବା ଚୋରି କୋଇଲାକୁ ଗୋଟିଏ ସ୍ଥାନରେ ଗଚ୍ଛିତ ରଖାଯିବା ସହ ସଗୁଡ଼ିକର ଗ୍ରେଡ୍ ପରିବର୍ତନ ଉଦ୍ଦେଶ୍ୟରେ ସେଗୁଡ଼ିକୁ ପୋଡ଼ି ଧୂମହୀନ କୋଇଲା କରାଯାଉଛି ଏହାପରେ ଏହି କୋଇଲାକୁ ଢାବା, ହୋଟେଲ ଓ ଇଟାଭାଟିଗୁଡ଼ିକୁ ଚାଲାଣ କରାଯାଉଛି। ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଏଭଳି କୋଇଲା ଗଚ୍ଛିତ ତଥା ଚାଲାଣ ପାଇଁ ସମଗ୍ର ଜିଲ୍ଲାରେ କୁଖ୍ୟାତ ଅନ୍ୟ ବ୍ୟବସ୍ଥାରେ ଖଣିରୁ କୋଇଲା ଚୋରି ପରେ ସେଗୁଡ଼ିକୁ ସିଧାସଳଖଭାବେ ନିକଟସ୍ଥ ଜଙ୍ଗଲରେ ଫୁଲରେ ଚିହ୍ନଟ କରାଯାଇଥିବା ଅସ୍ଥାୟୀ ଡିପୋରେ ଢଳାଯାଉଛି! ମୋପେଡ୍ ମ୍ୟାନ୍ ଏହି କୋଇଲାକୁ ଆଣିବାବେଳେ ଟ୍ରିପ୍ ପିଛା ସୁରକ୍ଷା କର୍ମୀଙ୍କୁ ଦେଉଥିବା ଖର୍ଚ୍ଚ ବାବଦକୁ ୫୦ ଟଙ୍କା, ତେଲ ଖର୍ଚ୍ଚ ବାବଦକୁ ୫୦ ଟଙ୍କା, ପାରିଶ୍ରମିକ ୧ ଶହ ଟଙ୍କା ମିଶାଇ ମୋଟ ୨ ଶହ ଟଙ୍କା ନେଉଛନ୍ତି। ପ୍ରତିଟି ଟ୍ରିପ୍ରେ ହାରାହାରି ୩ଶହ କେଜି ଲେଖାଏଁ କୋଇଲା ଆସୁଥିବାବେଳେ ୬୫ ଟ୍ରିପ୍ ମୋପେଡ୍ କୋଇଲା ଆସିଲେ ୨୦ ଟନ୍ ବା ଗୋଟିଏ ଟ୍ରକ୍ରେ ଲୋଡ୍ ହେବା ଭଳି କୋଇଲା ପହଞ୍ଚୁଛି।
ଏହାପରେ ସନ୍ଧ୍ୟା ହେଲେ ଜଙ୍ଗଲର ଉକ୍ତ ଡିପୋରେ ଟ୍ରକ୍ ପହଞ୍ଚି କୋଇଲା ଲୋଡିଂ କରିବା ବେଳେ ବିଭିନ୍ନ କମ୍ପାନିକୁ ଚାଲାଣ କରାଯାଉଛି। ବର୍ତ୍ତମାନ ସମୟରେ ୨0 ଟନ୍ କୋଇଲାର ଦର ପ୍ରାୟ ୪୦ ହଜାର ଟଙ୍କା ରହିଥିବାବେଳେ କମ୍ପାନିମାନେ ବି ଏହି ଚୋରା କୋଇଲାକୁ ୨୫ରୁ ୩୦ ହଜାର ଟଙ୍କାରେ ପାଇପାରୁଛନ୍ତି। ଯେଉଁଠି ମାଫିଆମାନେ ଟ୍ରକ୍ ପିଛା ୧୫ରୁ ୨୦ ହଜାର ଟଙ୍କାର ମୁନାଫା ରୋଜଗାର କରୁଛନ୍ତି। ଏଥିରେ ପୁଲିସ୍, ପରିବହନ ବିଭାଗର ବି ଭାଗ ରହୁଥିବା ଜଣାପଡ଼ିଛି।