ଭୁବନେଶ୍ୱର: ଓଡ଼ିଶାକୁ ବଡ଼ ବଡ଼ ଶିଳ୍ପକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିବାବେଳେ ଓଡ଼ିଶା ବାହାରେ ଥିବା ଶିଳ୍ପ ପାଇଁ କଞ୍ଚାମାଲ ଆବଣ୍ଟନକୁ ନେଇ ବିଭିନ୍ନ ଆଦିବାସୀ ଓ ଦଳିତ ସଂଗଠନର ହଜାର ହଜାର ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ନିଜ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ନିରନ୍ତର ଯୋଗଦାନ ଦେଉଥିବା ସ୍ଥାନୀୟ ଶିଳ୍ପ ପ୍ରତି ସମର୍ଥନ ଜଣାଇବା ପାଇଁ କୋଡିଙ୍ଗାମାଳି ବିକାଶ ପରିଷଦ, ଆଦିବାସୀ ମହାସଂଘ, ହରିଜନ ମହାସଂଘ, ଆଦିବାସୀ ମହିଳା ସଂଘ ଓ ଡମ୍ବ ସମାଜର ସଦସ୍ୟମାନେ ଆଜି କୋରାପୁଟ ଓ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଏକତ୍ରିତ ହୋଇଥିଲେ।
ସଦସ୍ୟମାନେ ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ସମସ୍ତେ ଏକାଠି ହୋଇ ଓଡ଼ିଶାର ବକ୍ସାଇଟ୍ ସମ୍ପଦ ବାହ୍ୟ ସଂସ୍ଥାକୁ ଆବଣ୍ଟନ ନେଇ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବା ସ୍ୱଚ୍ଛ ଓ ନିରପେକ୍ଷ ଅଭ୍ୟାସ ପାଇଁ ଅନୁରୋଧ କରିଛନ୍ତି।
ପ୍ରଚୁର ଖଣିଜ ସମ୍ପଦରେ ଭରପୂର ରାଜ୍ୟ ଓଡ଼ିଶା ଦୀର୍ଘଦିନ ଧରି ଶିଳ୍ପ ଅଭିବୃଦ୍ଧି ଓ ସାମାଜିକ-ଅର୍ଥନୈତିକ ବିକାଶର ସୁଯୋଗର ଭୂମି ଭାବେ ପରିଚିତ। ତେବେ କୋଡିଙ୍ଗମାଳିରୁ ବକ୍ସାଇଟ୍ ସମ୍ବଳ ଆବଣ୍ଟନକୁ ନେଇ ନିକଟରେ ଘଟିଥିବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି। ଗ୍ରାମସଭା ଆଲୋଚନା ସମୟରେ ଓଡ଼ିଶାରେ ପୁଞ୍ଜିନିବେଶ କରୁଥିବା ଶିଳ୍ପ, ବିଶୋଧନାଗାର ଓ ସ୍ମେଲଟର ପ୍ରତିଷ୍ଠା ଏବଂ ସ୍ଥାନୀୟ ସମୁଦାୟଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବକ୍ସାଇଟ୍ ଆବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଏକ ବାହ୍ୟ ସଂସ୍ଥାକୁ ଆବଣ୍ଟନ କରାଯାଇଛି, ଯିଏ କି ଓଡ଼ିଶାରେ ପୁଞ୍ଜିନିବେଶ କରିନାହିଁ କିମ୍ବା ଏହାର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଦେଇନାହିଁ, ଯାହା ପ୍ରତିଶ୍ରୁତିକୁ ଅବମାନନା କରୁଛି ଏବଂ ସ୍ଥାନୀୟ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରୁଛି। ନିଜ ଅଞ୍ଚଳର ଉନ୍ନତି ଆଶାରେ ନିଜ ଜମି ତ୍ୟାଗ କରିଥିବା ଆଦିବାସୀ ସଂପ୍ରଦାୟ ଏବେ ଏହି ନିଷ୍ପତ୍ତିଦ୍ୱାରା ସେମାନଙ୍କ ପ୍ରତି ବିଶ୍ୱାସଘାତକତା ଅନୁଭବ କରୁଛନ୍ତି ବୋଲି କହିଛନ୍ତି।