ଖଣି-ଖାଦାନ ସୀମାଠାରୁ ପାଞ୍ଚ କିଲୋମିଟର ଅଞ୍ଚଳ ମଧ୍ୟରେ ଡିଏମଫ ବା ଜିଲ୍ଲା ଖଣିଜ ପାଣ୍ଠି ଦ୍ବାରା ସ୍ଥିର କରାଯାଇଥିବା ସମସ୍ତ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ସାଚୁରେସନ ମୋଡରେ କରାଯିବ। ସଂଶୋଧୂତ ନିୟମାବଳୀ ଅନୁସାରେ ସିଧାସଳଖ ପ୍ରଭାବିତ ଅଞ୍ଚଳ ସୀମା ୧୦ କିଲୋମିଟରରୁ ବୃଦ୍ଧି କରି ୧୫ କିଲୋମିଟରକୁ କରାଯାଇଛି। ସେହିପରି ପରୋକ୍ଷ ପ୍ରଭାବିତଅଞ୍ଚଳର ସର୍ବାଧିକ ସୀମା ୨୫ କିଲୋମିଟରରେ ସୀମିତ ରଖାଯାଇଛି। ଏହି ପାଣ୍ଠି ସେହି ଲୋକମାନଙ୍କ ପାଇଁ ବ୍ୟବହୃତ ହେବ, ଯେଉଁମାନେ ପ୍ରକୃତରେ ଖଣି ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ପ୍ରତିକୂଳ ଭାବେ ପ୍ରଭାବିତ ହୁଅନ୍ତି।
କ୍ୟାବିନେଟର ସମ୍ପର୍କରେ ବିଧାନସଭାରେ ଏହି ନିଷ୍ପରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଡିଏମଏଫ ଅଞ୍ଚଳ ସୀମା ବଢ଼ାଗଲା ଯେ, ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ବସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ କରାଯାଇଥିଲା। ଖଣି ଅଞ୍ଚଳରେ ରହୁଥିବା ପରିବାରମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ଯ ହରାଇଛନ୍ତି। ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏହି ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ ଭାରତ ସରକାରଙ୍କଦ୍ବାରା ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି (ଡିଏମଏଫ) ଗଠନ କରାଯାଇଥିଲା। ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଛି।
କେନ୍ଦ୍ର ସରକାର ପ୍ରଚଳିତ ଡିଏମଏଫ ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି। ଏହି ସଂଶୋଧନରେ ଅନେକ ନୂତନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହୋଇଛି ଯାହା ଏ ପର୍ଯ୍ୟନ୍ତ ଉପଲବ୍ଧ ନଥିଲା। ଏହାଦ୍ବାରା ଖଣି ଅଞ୍ଚଳରେ ପ୍ରଭାବିତ ପରିବାର ବର୍ଗ ବହୁ ମାତ୍ରାରେ ଉପକୃତ ହେବେ। ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ତାଲିକା କେବଳ ଡିଏମଏଫ ଟ୍ରଷ୍ଟ ନିର୍ଦ୍ଧାରଣ କରିବ ଏବଂ ଏହାକୁ ଅନ୍ୟ କେହି ନିର୍ଦ୍ଧାରଣ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ। ସେହିପରି ଖଣି ପ୍ରଭାବିତ ପରିବାରର ସ୍ବାର୍ଥରକ୍ଷା ପାଇଁ ପୂର୍ବ ନିୟମ ତୁଳନାରେ ଅନେକ ଉନ୍ନତି କରାଯାଇଛି। ଏହାଦ୍ବାରା ପରିବାରଗୁଡ଼ିକୁ ଲାଭଜନକ ଜୀବିକା, ଦକ୍ଷତା ବିକାଶ, ସହାୟତା ଇତ୍ୟାଦି ମିଳିପାରିବ।