ନୂଆଦିଲ୍ଲୀ, ଆମେରିକାର ଖ୍ୟାତନାମ ଆଇଟି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ୨୫,୭୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଘୋଷଣା କରିଛି। କମ୍ପାନୀର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଦେଲା ଏହି ଘୋଷଣା କରିଥିଲେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ହୋଇଥିଲା।
ମାଇକ୍ରୋସଫ୍ଟର ଏହି ବିନିଯୋଗ ଭାରତର କ୍ଲାଉଡ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ମୂଳଭିତ୍ତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ହେବ। ଏଥିରେ ୨୦୩୦ ସୁଦ୍ଧା ଦେଶର ୧ କୋଟି ଲୋକଙ୍କୁ ଏଆଇ ଟ୍ରେନିଂ ଦେବା ଲକ୍ଷ୍ୟ ରଖାଯାଇଛି।
ନାଦେଲା କହିଛନ୍ତି, “ଭାରତର ମାନବ ସମ୍ପଦ ଏବଂ ଟେକ୍ନୋଲୋଜିର ଅପାର ସମ୍ଭାବନା ଅଛି। ତେଣୁ ଏହାକୁ ଦୃଢ଼ କରିବା ପାଇଁ ମାଇକ୍ରୋସଫ୍ଟର ପ୍ରତିବଦ୍ଧତା ଆଜି ଆରମ୍ଭ ହେଲା। ସେ ଆହୁରି କହିଛନ୍ତି, ୨୦୩୦ ସୁଦ୍ଧା ଆମେ ୧ କୋଟି ଲୋକଙ୍କୁ ଏଆଇ ତାଲିମ ଦେବୁ। ଭାରତରେ ଏବେ ୧୭ ଲକ୍ଷ ଡେଭଲପର୍ ଗିଥ୍ ହବ୍ରେ କାର୍ଯ୍ୟରତ ଅଛନ୍ତି, ଏବଂ ଦେଶରୁ ୩୦,୫୦୦ରୁ ଅଧିକ ଏଆଇ ପ୍ରକଳ୍ପ ବିକଶିତ ହେଉଛି। ଏହାକୁ ସାହାଯ୍ୟ କରିବା ପାଇଁ, ମାଇକ୍ରୋସଫ୍ଟ ଆଜୁର୍ କ୍ଲାଉଡ୍ ସୁବିଧାକୁ ବିସ୍ତାର କରିବା ପାଇଁ ଏହି ବିନିଯୋଗ କରିବ। ମାଇକ୍ରୋସଫ୍ଟର ମିଶନ୍ ହେଉଛି ଭାରତର ପ୍ରତ୍ୟେକ ବ୍ୟକ୍ତି ଏବଂ ସଂଗଠନକୁ ସଶକ୍ତ କରିବା। ଏହା ଆଗକୁ ନେବା ପାଇଁ ଦେଶର ଟେକ୍ନୋଲୋଜିକ ଇକୋସିଷ୍ଟମକୁ ଆଗେଇ ନେବା ଜରୁରୀ।”