ଭୁବନେଶ୍ୱର : ଓଡ଼ିଶାର ନୂଆ ରାଜ୍ୟପାଳଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି ଡ. ହରିବାବୁ କମଭମପତି I ସେଥିପାଇଁ ଡ. ହରିବାବୁ କମଭମପତିଙ୍କ ସପରିବାର ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ବାଗତ କରିଥିଲେ। ଏହାପରେ ପୁଲିସ୍ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ସେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ଗୁରୁଵାର ପୁରୀସ୍ଥିତ ରାଜଭବନରେ ରାତ୍ରଯାପନ କରି ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱରଠାରେ ରାଜ୍ୟପାଳଭାବେ ଶପଥ ଗ୍ରହଣ କରିଛନ୍ତି ଡ. ହରିବାବୁ। ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜଭବନର ଅଭିଷେକ ହଲକୁ ପ୍ରସ୍ତୁତ କରାଯାଇଥିବାବେଳେ ଶୁକ୍ରବାର ୧୦ଟା ୧୫ ମିନିଟ୍ରେ ହରିବାବୁ କମଭମପତି ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ।
ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. ହରିବାବୁ କମଭମପତିଙ୍କୁ ନୂଆ ରାଜ୍ୟପାଳଭାବେ ନିଯୁକ୍ତି ଦେଇଥିଲେ। ୭୧ ବର୍ଷିୟ କମଭମପତି ପୂର୍ବରୁ ମିଜୋରାମ୍ ରାଜ୍ୟପାଳ ଥିଲେ। ଜଣେ ଇଞ୍ଜିନିୟର ଓ ଶିକ୍ଷକଭାବେ ସେ ବେଶ୍ ପରିଚିତ। ଆନ୍ଧ୍ର ବିଶ୍ଵବିଦ୍ୟାଳୟର ଆସୋସିଏଟ୍ ପ୍ରଫେସରଭାବେ ଦୀର୍ଘ ୨୪ ବର୍ଷର ଅନୁଭୂତି ତାଙ୍କ ପାଖରେ ରହିଛି। ଏହାଛଡ଼ା ଆନ୍ଧ୍ରରେ ୧୯୯୯ରେ ବିଧାୟକ, ୨୦୧୪ରେ ଚାଜ୍ୟ ବିଜେପି ସଭାପତି ଦାୟିତ୍ୱ ସହ ସଂସଦଭାବେ ନିର୍ବାଚିତ ହୋଇ କାମ କରିଛନ୍ତି। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଦଳର ଜାତୀୟ କାର୍ଯ୍ୟକାରିଣୀରେ କାମ କରିଛନ୍ତି ।
ଗୁରୁବାର ସନ୍ଧ୍ୟାରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ଡ. କମଭମପତି କହିଥିଲେ, ମିଜୋରାମରୁ ଆସି ପୁରିରେ ପହଂଚିଛି। ଆଗକୁ ଓଡ଼ିଶା ଓ ଓଡ଼ିଆଙ୍କ ବିକାଶ ପାଇଁ କାମ କରିବି କହି ମହାପ୍ରଭୁଙ୍କ ନିକଟରେ ରାଷ୍ଟ୍ରର ମଙ୍ଗଳକାମନା ପୂର୍ବକ ପ୍ରାର୍ଥନା କରିଥିଲେ। ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା କ୍ଷଣି ସେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଲେଖିଥିଲେ, “ଜୟ ଜଗନ୍ନାଥ, ଯେଉଁଠାରେ ଈଶ୍ୱରୀୟ ଶକ୍ତି ଏବଂ ଭକ୍ତି ଏକତ୍ର ଭାବେ ଆତ୍ମାକୁ ପ୍ରେରିତ କରିଥାନ୍ତି ସେହି ପବିତ୍ର ଭୂମି ଓଡ଼ିଶାରେ ପାଦ ରଖିଥିବାରୁ କୃତଜ୍ଞ।”
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଶ୍ରୀମନ୍ଦିର ନିକଟରେ ନୂଆ ରାଜ୍ୟପାଳ ଓ ତାଙ୍କ ପରିବାରକୁ ସ୍ୱାଗତ କରିଥିଲେ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପୃଥୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ସାଶନ ସଚିବ ମନୋଜ ଆହୁଯା, ପୁଲିସ୍ କମିଶନର ଏସ୍, ଦେବଦତ ସିଂହ, ଏକାମ୍ର ବିଧାୟକ ବାବୁ ସିଂହ, କଟକ ସଦର ବିଧାୟକ ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ରହି ଡ. ହରିବାବୁ କମଭମପତିଙ୍କୁ ସ୍ୱାଗତ କରିଥିଲେ।