ଭୁବନେଶ୍ଵର: ରାଜ୍ୟ ସରକାର ଏମଓୟୁ ପରେ ଏମଓୟୁ ସ୍ବାକ୍ଷର କରୁଛନ୍ତି। ହେଲେ ଗୋଟେବି ଶିଳ୍ପ ସଂସ୍ଥା ଏପର୍ଯ୍ୟନ୍ତ ଶିଳାନ୍ୟାସ କଲେନି ଉତ୍କର୍ଷ ଓଡ଼ିଶା କନକ୍ଳେସ୍ରେ ୧୪୫ଟି ଏମ୍ଓୟୁ ସ୍ବାକ୍ଷର କରିଲେ। ହେଲେ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ହାର ୨୦୨୪-୨୫ରେ ୪.୭%କୁ କମିଯାଇଛି। ଯେତେବେଳେ ଗତ ୭ ବର୍ଷରେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ହାର ୮.୩% ଥିଲା, ଓଡ଼ିଶା ଶିଳ୍ପ ଅଭିବୃଦ୍ଧିରେ ଦେଶରେ ଦ୍ଵିତୀୟ ଥିଲା | ଏହା କ’ଣ ଡବଲ୍ ଇଞ୍ଜିନ ସରକାରର ସଫଳତା କି ବୋଲି ବିରୋଧୀ ସରକାରଙ୍କୁ ପଚାରିଛନ୍ତି । ଆଜି ଶିଳ୍ପ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଲେ, ଶିଳ୍ପ ବିଭାଗ ଉପରେ ଯୁବପିଢ଼ିଙ୍କ ଭରସା ପାଉନି ସରକାର ଆଶା ସୃଷ୍ଟି କଲା ପରି ବଜେଟରେ କିଛି ବ୍ୟବସ୍ଥା କରିନାହାନ୍ତି। ଶିଳ୍ପ ବିଭାଗ ଲ୍ୟାଣ୍ଡ ବ୍ୟାଙ୍କ କରୁଥିବା ବେଳେ ରାଜସ୍ବ ମନ୍ତ୍ରୀ ବିପରୀତ ମନ୍ତବ୍ୟ ଦେଉଛନ୍ତି।
କେନ୍ଦ୍ର ବଜେଟରେ ଓଡ଼ିଶାର ଶିଳ୍ପ କ୍ଷେତ୍ର ପ୍ରତି କିଛି ଆର୍ଥିକ ବ୍ୟବସ୍ଥା ରଖାଯାଇନି। ସୁଭଦ୍ରା ଯୋଜନା ଦ୍ଵାରା ଆନ୍ତର୍ଜାତିକ ପୁଞ୍ଜିନିବେଶ ବଢ଼ିବ ବୋଲି କୁହାଯାଉଛି। ଏହି ଯୋଜନା ମହିଳା ସଶକ୍ତିକରଣ ପାଇଁ ହୋଇଥିଲା ବେଳେ ଆନ୍ତର୍ଜାତିକ ପୁଞ୍ଜିକୁ କିପରି ଆକର୍ଷିତ କରିବ, ତାହା ବୁଝାପଡୁନି ଧ୍ରୁବ ସାହୁ କହିଥିଲେ, ସିଙ୍ଗଲ ୱିଣ୍ଡୋ ଅନୁମୋଦନ ଦେବା କଥା କହୁଛନ୍ତି ହେଲେ ଅନୁମତି ପାଇଁ ୧୦ଟି ବିଭାଗକୁ ଦଉଡ଼ିବାକୁ ପଡୁଛି। କେନ୍ଦ୍ର ସରକାର ୧୮ଟି ଶିଳ୍ପ କରିଡର ଘୋଷଣା କଲେ, ହେଲେ ଓଡ଼ିଶା ପାଇଁ ଗୋଟିଏ ବି ନାହିଁ। କେନ୍ଦ୍ରାପଡ଼ାରେ ମିତ୍ତଲ ଶିଳ୍ପ ପ୍ରତିଷ୍ଠା କରିବ ବୋଲି ଏମଓୟୁ ସ୍ବାକ୍ଷର କରିଥିଲା, ହେଲେ ଏପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିଲାନି। ମେଟ୍ରୋ ରେଳ ପ୍ରକଳ୍ପ କାମ ଆରମ୍ଭ ହେଉନି। ସହରାଞ୍ଚଳ ଗରିବୀ କମାଇବାକୁ ବିଜେଡି ସରକାର ଆରମ୍ଭ କରିଥିବା ମୁକ୍ତା ଯୋଜନାକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିଦିଆଯାଇଛି। ଏହାଦ୍ଵାରା କି ଲାଭମିଳୁଛି। ବିଜେଡି ବିଧାୟକ ସୁନିଲ ମହାନ୍ତି, ଅନନ୍ତ ନାରାୟଣ ଜେନା, ତୁଷାରକାନ୍ତି ବେହେରା, ସାରଦା ପ୍ରସାଦ ନାୟକ ପ୍ରମୁଖ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିବା ସହ ସହରାଞ୍ଚଳରେ ମଶା ସମସ୍ୟା, ସିଡିପି ନହେବା, ନୂଆ ମ୍ୟୁନିସପାଲଟି ଓ ଏନ୍ଏସି ଘୋଷଣା ନହେବା ପ୍ରସଙ୍ଗ ଉଠାଇଥିଲେ।
ଶାସକ ଦଳ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ସେଠୀ, ସନ୍ତୋଷ ଖଟୁଆ, ଦୁଷ୍ମନ୍ତ ସ୍ବାଇଁ, ମନୋରଂଜନ ଦ୍ୟାନସାମନ୍ତରା କହିଥିଲେ ପୂର୍ବ ସରକାର କେବଳ ଏମ୍ଓୟୁ ସ୍ବାକ୍ଷର କରୁଥିଲେ ଶିଳ୍ପ କେବଳ କାଗଜରେ ହେଉଥିଲା। ଏବେ ଦେଖ ୫ବର୍ଷରେ କେତେ ସଂସ୍ଥା ଶିଳ୍ପ ପ୍ରତିଷ୍ଠା କରାଯାଉଛି। ମୁକ୍ତା ଯୋଜନାରେ ବ୍ୟାପକ ଦୁର୍ନୀତି ହେଲା ବୋଲି ବନ୍ଦ କରାଯାଇଛି।