ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଉଦ୍ୟୋଗ ଗ୍ରିଡ୍କୋ ଲଗାତାରଭାବେ କ୍ଷତି ସହିବା ପରେ ଶେଷରେ ଲାଭ ପଥକୁ ଫେରିଛି। ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଥିବା ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ଏହା ୯ ବର୍ଷ କ୍ଷତି ସହିଛି। ୨୦୦୧୪-୧୫ରେ ଏହା ୧୨୦.୩୫ କୋଟି ଟଙ୍କାର କ୍ଷତି ସହିଥିଲା। ୨୦୧୯-୨୦ରେ ଏହାର କ୍ଷତି ପରିମାଣ ବହୁ ଗୁଣା ବୃଦ୍ଧି ପାଇ ୧୩୫୨.୧୪ କୋଟି ଟଙ୍କା ହୋଇଥିଲା। ୨୦୨୦-୨୧ରେ କ୍ଷତି ୧୩୮୨.୩୮ କୋଟି ଟଙ୍କା ଥିଲା। ତେବେ ୨୦୨୩-୨୪ରେ ଏହାର ଭାଗ୍ୟରେ ପରିବର୍ତ୍ତନ ହୋଇଥିଲା। ସେହି ବର୍ଷ କମ୍ପାନି ୨୬୦.୪୪ କୋଟି ଟଙ୍କାର ଲାଭ କରିଥିବା ଶ୍ରୀ ସିଂହଦେଓଙ୍କ ଉତ୍ତରରୁ ଜଣାପଡ଼ିଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଜଣାଇଛନ୍ତି ଯେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓ କେନ୍ଦ୍ର ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଦ୍ବାରା ନିର୍ଧାରିତ ଦର ଅନୁସାରେ ବିଭିନ୍ନ ସଂସ୍ଥାଠାରୁ ଗ୍ରିଡ୍କୋ ବିଦ୍ୟୁତ୍ ଶକ୍ତି କ୍ରୟ କରୁଛି। ଟାଟା ପାୱାର ଦ୍ବାରା ପରିଚାଳିତ ବିଦ୍ୟୁତ୍ ବିତରଣ କମ୍ପାନି (ଡିସ୍କମ୍) ଉପରେ ଗ୍ରିଡ୍କୋର କୌଣସି ଟଙ୍କା ବକେୟା ନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ପୁରୁଣା ବିଦ୍ୟୁତ୍ ବିତରଣ କମ୍ପାନିଗୁଡ଼ିକ ଉପରେ ଗ୍ରିଡ୍କୋର ୬୫୪୯ କୋଟି ଟଙ୍କା ବୟୋ ରହିଛି। ଓଏଚ୍ପିସି, ଓପିଜିସି, ବେଦାନ୍ତ, ଜିଏମ୍ଆର୍ କମଳାଙ୍ଗ ଏନର୍ଜି, ଜିନ୍ଦଲ ଇଣ୍ଡିଆ ଥର୍ମାଲ୍ ପାୱାର ଲିମିଟେଡ୍, ଜେଏସ୍ଡବ୍ଲୁ ଏନର୍ଜି ଉତ୍କଳ, ଏନ୍ଟିପିସି, ଏନ୍ଏଚ୍ପିସି, ପାୱାର ଏକ୍ସଚେଞ୍ଜ ସମେତ ପ୍ରାୟ ୩୦ଟି ସଂସ୍ଥାଠାରୁ ଗ୍ରିଡ୍କୋ ବିଦ୍ୟୁତ୍ କିଣୁଛି। ଏଥିସହିତ ଏହା ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଏସ୍ଓଡିଏଲ୍ ଓ ଟିପିଡବ୍ଲୁଓଡିଏଲ୍କୁ ବିଦ୍ୟୁତ୍ ବିକ୍ରି କରୁଛି।