ନୂଆଦିଲ୍ଲୀ: ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ଦର ଗତ କିଛିମାସ ହେଲା କମିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି। ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଉଭୟ ଘରୋଇ ଏବଂ ବୈଦେଶିକ କାରଣରୁ ମୁଦ୍ରା ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି। ଡଲାର ସୂଚୀ, ପୁଞ୍ଜି ପ୍ରବାହ ଧାରା ଏବଂ ସୁଧ ହାରର ସ୍ତର ଆଦି ମୁଦ୍ରା ବିନିମୟକୁ ପ୍ରଭାବିତ କରିଛି ବୋଲି ହାରକୁ ଅର୍ଥମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
୨୦୨୪ ଅକ୍ଟୋବରରୁ ୨୦୨୫ ଜାନୁଆରି ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦର ୩.୩ ପ୍ରତିଶତ ଦୁର୍ବଳ ହୋଇଛି। କିନ୍ତୁ ଏସିଆର ଅନ୍ୟାନ୍ୟ ଦେଶର ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ହ୍ରାସ କମ୍ ରହିଛି ବୋଲି ସେ ଯୁକ୍ତି ରଖିଛନ୍ତି। ଦକ୍ଷିଣ କୋରିଆ ମୁଦ୍ରା ଓନ୍ ଏବଂ ଇଣ୍ଡୋନେସିଆ ମୁଦ୍ରା ରୁପିଆ ଉପରୋକ୍ତ ସମୟ ମଧ୍ୟରେ ଯଥାକ୍ରମେ ୮.୧ ପ୍ରତିଶତ ଏବଂ ୬.୯ ପ୍ରତିଶତ ହ୍ରାସ ପାଇଛି| ସମସ୍ତ ଜି-୧୦ ମୁଦ୍ରା ଏହି ସମୟ ମଧ୍ୟରେ ୬ ପ୍ରତିଶତରୁ ଅଧିକ ଖସିଛି । ୟୁରୋ ମୂଲ୍ୟରେ ୬.୭ ପ୍ରତିଶତ ଏବଂ ବ୍ରିଟିସ ପାଉଣ୍ଡ୍ ମୂଲ୍ୟରେ ୭.୨ ପ୍ରତିଶତ ହ୍ରାସ ଘଟିଛି।
ଏଥିସହିତ ରାଜ୍ୟଗୁଡ଼ିକୁ ପାଣ୍ଠି ସ୍ଥାନାନ୍ତର କିଛି କମିନାହିଁ ବୋଲି ଅର୍ଥମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି । ୨୦୨୫-୨୬ରେ ରାଜ୍ୟଗୁଡ଼ିକୁ ୨୫.୦୧ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର ହେବ ସେହିଭଳି ୨୦୨୫- ୨୬ରେ ପ୍ରଭାବୀ ପୁଞ୍ଜି ବ୍ୟୟ ୧୫.୪୮ ଲକ୍ଷ କୋଟି ଟଙ୍କା ରହିବ, ଯାହାକି ଜିଡିପିର ୪.୩ ପ୍ରତିଶତ ଆସନ୍ତା ଆର୍ଥିକବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଜିଡିପିର ୪.୪ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଏହା ଦର୍ଶାଉଛି ଯେ ସରକାର ଋଣ ବାବଦରେ ଆଣୁଥିବା ସମ୍ବଳକୁ ପୁଞ୍ଜିବ୍ୟୟରେ ବିନିଯୋଗ କରୁଛନ୍ତି। ଆସନ୍ତା ଆର୍ଥିକବର୍ଷରେ ଋଣର ୯୯ ପ୍ରତିଶତ ପୁଞ୍ଜି ସଂପତ୍ତା ସୃଷ୍ଟି କରିବାରେ ଉପଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ଆଜି ଲୋକସଭାରେ କହିଛନ୍ତି। ମୁଦ୍ରାସ୍ତ୍ରୀତି ଧାରା, ବିଶେଷକରି ଖାଦ୍ୟ ମୁଦ୍ରାଷ୍ଟୀତି ହ୍ରାସ ପରିଲକ୍ଷିତ ହେଉଛି। ସରକାର ମୁଦ୍ରାସ୍ତ୍ରୀତି ପରିଚାଳନା ଉପରେ ସର୍ବାଧିକ ଅଗ୍ରାଧିକାର ଦେଉଛନ୍ତି ବୋଲି ଅଥର୍ମନ୍ତ୍ରୀ ସୂଚନା ଦେଇଛନ୍ତି।