ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ବଜେଟ୍ରେ ୧୦ ହଜାର ୫୮୬ କୋଟି ଟଙ୍କା ଆବଣ୍ଟନ ହୋଇଥିଲା। ସେଥିମଧ୍ୟରୁ ଜାନୁଆରି ସୁଦ୍ଧା ୮୧.୭୮% ଅର୍ଥାତ୍ ୮,୬୫୭.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଓଡ଼ିଶାରେ ରେଳ ସଂଯୋଗୀକରଣ, ସୁରକ୍ଷା ଓ ଭିତ୍ତିଭୂମି ବିକାଶ ଦିଗରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏଥିସହ ଚଳିତ ଆର୍ଥିକ ବର୍ଷରେ ୮ଟି ନୂତନ ରେଳ ପ୍ରକଳ୍ପ ଯଥା ଗୁଣୁପୁର-ଥେରୁବାଲି ନୂତନ ଲାଇନ୍, ଜୁନାଗଡ ରୋଡ୍-ନବରଙ୍ଗପୁର, ମାଲକାନଗିରି- ପାଣ୍ଡୁରଙ୍ଗପୁରମ୍, ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା- ଚକୁଳିଆ, ବରଗଡ଼ ରୋଡ୍-ନୂଆପଡା ରୋଡ୍, ପୁରୀ-କୋଣାର୍କ ନୂତନ ରେଳ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ମୋଟ ୧୮ ହଜାର ୧୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକଦ୍ବାରା ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ନୂଆପଡ଼ା, ପୁରୀ ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବହୁ ଅଞ୍ଚଳବାସୀ ଉପକୃତ ହେବେ।
ଟ୍ରେନ୍ ସେବାକୁ ଆଧୁନିକୀକରଣ ଓ ଉନ୍ନତ କରିବାକୁ ୧୧୭୩.୧୨ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରମୁଖ ରେଳ ଫ୍ଲାଏଓଭରକୁ ମଞ୍ଜୁର କରାଯାଇଛି। ଗୋଟିଏ ଡବଲ୍ ଲାଇନ ଫ୍ଲାଏ ଓଭର ପାଇଁ ମଞ୍ଜୁରି ଦିଆଯାଇଛି। ସମ୍ବଲପୁର ଷ୍ଟେସନ୍ରୁ ସମ୍ବଲପୁର ସିଟି ଷ୍ଟେସନ ପର୍ଯ୍ୟନ୍ତ ୮.୧୦ କିମି ଫ୍ଲାଏଓଭର ପ୍ରକଳ୍ପ ପାଇଁ ୨୮୮.୬୧ କୋଟି, ଖୋର୍ଦ୍ଧାରୋଡ୍ ଷ୍ଟେସନ୍ ରେଳ ଫ୍ଲାଏଓଭର ପାଇଁ ୧୯୧.୮୭ କୋଟି, କଟକର ରାଜଆଠଗଡ଼- ରାଧାକିଶୋରପୁର-ମାଛପୁର ୧୦.୮୯ କିମି ପାଇଁ ୨୬୮.୯୨ କୋଟି, ୮.୧୧ କିମିର ଟିଟିଲାଗଡ଼ ରେଳ ଫ୍ଲାଏଓଭର ପାଇଁ ୧୮୩.୮୯ କୋଟି, ୫.୫୦ କିମିର ରାୟଗଡ଼ାରେ ସିଙ୍ଗାପୁର ରୋଡ୍ ଷ୍ଟେସନ୍ ପାଇଁ ୨୩୯.୮୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ଲାଜକୁରାରେ ଡବଲ୍ ଲାଇନ ଫ୍ଲାଏ ଓଭର ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ (ଏଫ୍ଏଲ୍ଏସ୍) ମଧ୍ୟ ରେଳ ଭିତ୍ତଭୂମିର ଉନ୍ନତି ପରିବହନ ଦକ୍ଷତା ବୃଦ୍ଧି କରିବାକୁ ମଞ୍ଜୁର କରାଯାଇଛି। ୧୯୯୪-୯୫ ମସିହାରେ ମଞ୍ଜୁର ହୋଇଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଜମି ଅଧିଗ୍ରହଣ ଆହ୍ବାନ ଯୋଗୁଁ ବିଳମ୍ବର ସମ୍ମୁଖୀନ ହୋଇଛି। ତଥାପି ଚଳିତ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ୧, ୧୬୦ କୋଟି ବ୍ୟୟବରାଦ ହେବା ସହ ଜାନୁଆରି ସୁଦ୍ଧା ୯୧୩ କୋଟି ଖର୍ଚ୍ଚ ହୋଇଛି। ଆର୍ଥିକ ବର୍ଷ ଶେଷ ସୁଦ୍ଧା ଖର୍ଚ୍ଚ ପରିମାଣ ୧,୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। ଓଡ଼ିଶା ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଦ୍ବାରା କାର୍ଯ୍ୟ ଅଧିକ ତ୍ବରାନ୍ବିତ ହେଉଛି। ଚଳିତ ଆର୍ଥିକ ବର୍ଷରେ ସୋନପୁର ଓ ପୁରୁଣାକଟକ ମଧ୍ୟରେ ୭୪ କିମି ରେଳ ଲାଇନ ନିର୍ମାଣ କାର୍ଯ୍ୟ ଲକ୍ଷ୍ୟଧାର୍ଯ୍ୟ ପୂର୍ବରୁ ଶେଷ ହୋଇଛି।
ଭୁବନେଶ୍ବର, ପୁରୀ ଓ କଟକ ରେଳ ଷ୍ଟେସନର ପୁନର୍ବିକାଶ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଭୁବନେଶ୍ଵର ରେଳ ଷ୍ଟେସନରେ ଏବେ ସୁଦ୍ଧା ୨୬୯ କୋଟିରୁ ଅଧିକ ଖର୍ଚ୍ଚ ସହ ପ୍ରକଳ୍ପ କାର୍ଯ୍ୟ ୬୦% ସରିଛି ୨୦୨୨ ଜୁନ୍ରେ ରେଳ ବୋର୍ଡ ଦ୍ବାରା ଭୁବନେଶ୍ଵର ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକୁ ମଞ୍ଜୁରି ମିଳିଥିଲା। ଏବେ ସୁଦ୍ଧା ଷ୍ଟେସନର ଉଭୟ ପାର୍ଶ୍ଵରେ କୋଠା ନିର୍ମାଣ ଶେଷ ହୋଇଛି। ବାକି ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି। ମୁଖ୍ୟ ପ୍ରବେଶ (ପଶ୍ଚିମ) ପାର୍ଶ୍ଵରେ ଉଚ୍ଚ ରାସ୍ତାର କାମ ଆରମ୍ଭ ହୋଇଛି। ଏହାବ୍ୟତୀତ ପୁରୀ ରେଳ ଷ୍ଟେସନରେ ୫୦ କୋଟି ଓ କଟକ ରେଳ ଷ୍ଟେସନରେ ୧୬୩.୮୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଓଡ଼ିଶାରେ ଯାତାୟାତ ସଂଯୋଗ ବୃଦ୍ଧି, ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଓ ରେଳ ପରିବହନରେ ସୁରକ୍ଷା ସୁନିଶ୍ଚିତ କରିବାକୁ ରେଳ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ରହିଛି। ଦୃଢ଼ ନିବେଶ, ରାଜ୍ୟ କର୍ତ୍ତୃପକ୍ଷଙ୍କ ସକ୍ରିୟ ସହଯୋଗ ଓ ଅକ୍ଳାନ୍ତ ପରିଶ୍ରମ ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାରେ 26666 ନେଟୱାର୍କ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହ ସହ ଲକ୍ଷ ଲକ୍ଷ 1 ନାଗରିକଙ୍କୁ ଲାଭ ପ୍ରଦାନ କରାଇବ ବୋଲି ପୂର୍ବତଟ ତଟ ରେଳପଥ ପକ୍ଷରୁ କୁହାଯାଇଛି।