ଭୁବନେଶ୍ବର: ପୂର୍ବର ବିଜେଡି ସରକାର ଅମଳରେ ଶିଳ୍ପ ସଂସ୍ଥାଙ୍କ ସହ ଏମଓୟୁ ସ୍ବାକ୍ଷର ହେଉଥିଲା। ହେଲେ ସେମାନେ ପ୍ରକଳ୍ପ କରିବାକୁ ଗଲାବେଳକୁ ଜମି ପାଉନଥିଲେ। ଯେଉଁଠି ଜମି ଦେବେ ବୋଲି ସରକାର ପ୍ରତିଶ୍ରୁତି ଦେଉଥିଲେ ସେଠାରେ ଶିଳ୍ପ ସଂସ୍ଥାଙ୍କୁ ଜମି ଖୋଜିବାକୁ ପଡୁଥିଲା। ଯେଉଁଥିପାଇଁ ଓଡ଼ିଶାରେ ଶିଳ୍ପାୟନ ହୋଇପାରୁନଥିଲା। କିନ୍ତୁ ଆମେ ଆଗ ଜମି ଠିକ୍ କରିକି ରଖିଛୁ ଯେଉଁଠି ଶିଳ୍ପ ସଂସ୍ଥା ପ୍ରକଳ୍ପ କରିବ ସେଠାରେ ତୁରନ୍ତ ଜମି ଯୋଗାଇ ଦିଆଯିବା ଶିଳ୍ପ ସଂସ୍ଥା କେଉଁଠୁ ଜମି, ଜଳ, ବିଦ୍ୟୁତ ପାଇବ ତା’ର ସବିଶେଷ ସୂଚନା ଦେଇ ଏଞୟୁ ସ୍ବାକ୍ଷର କରୁଛୁ। ତେଣୁ ଆମେ ଯେତିକି ଏଞୟୁ ସ୍ବାକ୍ଷର କରୁଛୁ ତାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବୁ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି।
ଶିଳ୍ପ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ଦୀର୍ଘ ୨୫ବର୍ଷ ସରକାରରେ ଯେଉଁ ଦଳ ରହିଥିଲା ସେହି ଦଳର ବିଧାୟକମାନେ ଏବେ କେନ୍ଦ୍ରାପଡ଼ାରେ ଶିଳ୍ପ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ରାପଡ଼ାରେ ମିତ୍ତଲ ଶିଳ୍ପ ପ୍ରତିଷ୍ଠା କରିବା କୁଆଡ଼େ ଯିବନି | ଏଥିପାଇଁ ଲୁଣା ନଦୀରୁ ପାଣି ଦିଆଯିବ, ମହାକାଳପଡ଼ାରେ ଗ୍ରିଡ୍ ହେବା ରାସ୍ତା, ରେଳ ଲାଇନ୍ ପାଇଁ ସର୍ଭେ ଚାଲିଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ |
ଓଡ଼ିଶାରେ ଏଫ୍ଡିଆଇ ପାର୍କ ଓ ନିବେଶ ନେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ପୂର୍ବରୁ ରାଜ୍ୟକୁ ଏଫ୍ଡିଆଇ ନ ଆସିବାର ବଡ଼ କାରଣ ହେଉଛି, ଆମର ଏଫ୍ଡିଆଇ ଉପଯୋଗୀ ଅତ୍ୟାଧୁନିକ ସୁବିଧାର ଅଭାବ। ପୂର୍ବ ସରକାର ଏଥିପାଇଁ ବିଶ୍ଵସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିନଥିଲେ | ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ସିଙ୍ଗାପୁର ଯାଇଥିବାବେଳେ ଏଫ୍ଡିଆଇ ପାଇଁ ଭିତ୍ତଭୂମି ପ୍ରସ୍ତୁତ କରିବାକୁ ସେମ୍ବକର୍ପ ସହ ଏମଓୟୁ ସ୍ବାକ୍ଷର କରିଛୁ। ଏହି ସଂସ୍ଥା ମାଲେସିଆ, ଭିଏତନାମ ଓ ଚୀନ୍ରେ ଏଫ୍ଡିଆଇ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛି। ଆମର ଭୁବନେଶ୍ଵର ଉପକଣ୍ଠରେ ବିଶ୍ଵସ୍ତରୀୟ ଏଫ୍ଡିଆଇ ପାର୍କ କରିବା ଏଥିପାଇଁ ୧୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି | ଏହାଦ୍ଵାରା ଅଟୋମୋବାଇଲ୍, ଇଭି, ସେମିକଣ୍ଡକ୍ଟର, ଆଇଟି ଏବଂ ଆଇଟିଏସ୍ କ୍ଷେତ୍ରରେ ଅଧିକ ନିବେଶ ହେବ |
ଏହି ଅବସରରେ ମନ୍ତ୍ରୀ କହିଥିଲେ, ଲ୍ୟାଣ୍ଡ ବ୍ୟାଙ୍କ ଯୋଜନାରେ କ୍ୟାଟେଗୋରି-ଏ ରେ ୨୧୧୮୨.୮୦୫ ଏକର, କ୍ୟାଟେଗୋରି-ବି ରେ ୫୧୩୫୫.୭୧୪ ଏକର ଜମି ଏହିପରି ମୋଟ୍ ୭୬୫୩୮.୫୧୯ଏକର ଜମି ଅଛି। ୨୦୨୫-୨୬ ଆର୍ଥିକ ବର୍ଷରେ କ୍ୟାଟେଗୋରି-ଏ ରେ ହଜାରେ ଏକର ଜମି ଅଧିଗ୍ରହଣ ହେବ ଏଥିପାଇଁ ୧୦୬କୋଟି ଟଙ୍କା ବରାଦ ହୋଇଛି। ଶିଳ୍ପ ପାଇଁ ଜମି ବାଧକ ହୋଇନି | ଏହାସହ ସମସ୍ତ ଆବଶ୍ୟକୀୟ ଭିତ୍ତଭୂମି ଯୋଗାଇବାକୁ ରାଜ୍ୟ ସରକାରଙ୍କ କ’ଣ ଯୋଜନା ଅଛି ସେନେଇ ମନ୍ତ୍ରୀ ସୂଚନା ଦେଇଥିଲେ |