ନୂଆଦିଲ୍ଲୀ: ଦେଶର ଇସ୍ପାତ ଶିଳ୍ପ ଏବେ ଏକ ଭିନ୍ନ ସମସ୍ୟା ଦେଇ ଗତି କରୁଛି। ଯାହାର ପ୍ରମୁଖ କାରଣ ହେଉଛି ଚୀନ୍ରୁ ଭାରତକୁ ଶସ୍ତାରେ ହେଉଥିବା ଇସ୍ପାତ ଆମଦାନି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ ଚୀନ୍ରୁ ୧.୯୬ ନିୟୁତ ଟନ୍ ଇସ୍ପାତ ଆମଦାନି କରାଯାଇଛି, ଯାହା ଗତ ଆଠ ବର୍ଷ ମଧ୍ୟରେ ସର୍ବାଧିକ। ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୨.୮ ପ୍ରତିଶତ ଅଧିକ ଇସ୍ପାତ ଚୀନ୍ରୁ ଆସିଛି।
ଚୀନ୍ ମୁଖ୍ୟତଃ ଷ୍ଟେନ୍ଲେସ୍ ଷ୍ଟିଲ୍, ହଟ୍-ରୋଲ୍ଡ କଏଲ୍, ପ୍ଲେଟ୍, ଇଲେକ୍ଟ୍ରିକାଲ୍ ସିଟ୍, ଗାଲ୍ଭାନାଇଜଡ୍ ଇସ୍ପାତ, ପାଇପ୍, ବାର୍ ଓ ରଡ୍ ଆଦି ପଠାଉଛି। କେବଳ ଚୀନ୍ ନୁହେଁ ଜାପାନ ଓ ଦକ୍ଷିଣ କୋରିଆରୁ ମଧ୍ୟ ବିପୁଳ ପରିମାଣର ଇସ୍ପାତ ଆମଦାନି କରାଯାଇଛି। ଦେଶକୁ ଯେତିକି ଇସ୍ପାତ ଆମଦାନି କରାଯାଇଛି ସେଥିରେ ଚୀନ୍, ଜାପାନ ଓ ଦକ୍ଷିଣ କୋରିଆର ଭାଗ ୭୯ ପ୍ରତିଶତ ରହିଛି। ଆଲୋଚ୍ୟ ଆଠ ମାସରେ ଜାପାନରୁ ୧.୪ ନିୟୁତ ଟନ୍ ଇସ୍ପାତ ଆମଦାନି ହୋଇଛି ଯାହା ଗତ ଛଅ ବର୍ଷ ମଧ୍ୟରେ ସର୍ବାଧିକ। ସୁଲଭ ମୂଲ୍ୟର ଇସ୍ପାତ ଆମଦାନି ହେଉଥିବାରୁ ତାହା ଦେଶ ଭିତରେ ଇସ୍ପାତ ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକ ପାଇଁ କଡ଼ା ଆହ୍ବାନ ସୃଷ୍ଟି କରିଛି। ସେମାନଙ୍କୁ ସୁରକ୍ଷା ଦେବା ଲାଗି ଆମଦାନି ହେଉଥିବା ଇସ୍ପାତ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଇବା ଉପରେ ଭାରତ ସରକାର ବିଚାର କରୁଛନ୍ତି।
୨୦୨୩-୨୪ ଆର୍ଥିକ ବର୍ଷ ଶେଷ ବେଳକୁ ଭାରତ ଏକ ଇସ୍ପାତ ଆମଦାନିକାରୀ ଦେଶରେ ପରିଣତ ହୋଇଥିଲା। ତା’ପରଠାରୁ ବାହାର ଦେଶରୁ ଇସ୍ପାତ କିଣା ବଢ଼ିବାରେ ଲାଗିଛି। କମ୍ ଦାମ୍ରେ ଚୀନ୍ ପଠାଉଥିବା ଇସ୍ପାତ ମିଳିଯାଉଥିବାରୁ ଦେଶରେ ଉତ୍ପାଦନ ହେଉଥିବା ଇସ୍ପାତର ଚାହିଦା ହ୍ରାସ ପାଇଛି। ତେଣୁ ବାଧ୍ୟ ହୋଇ ଛୋଟ ଛୋଟ ଇସ୍ପାତ କମ୍ପାନିଗୁଡ଼ିକ ଉତ୍ପାଦନ ହ୍ରାସ କରିଥିବାବେଳେ କର୍ମଚାରୀ ଛଟେଇ କରିବା ଉପରେ ଗମ୍ଭୀରତାର ସହ ବିଚାର କରୁଛନ୍ତି।
ଭାରତରେ ଭିତ୍ତିଭୂମି ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିଥିବାରୁ ଇସ୍ପାତ ଚାହିଦା ବଜାୟ ରହିଛି। ଅନ୍ୟ ଦେଶଗୁଡ଼ିକରେ କିନ୍ତୁ ସେଭଳି ସ୍ଥିତି ନାହିଁ। ସେଥିଲାଗି ସାରା ବିଶ୍ବର ଇସ୍ପାତ ନିର୍ମାତାମାନେ ଭାରତର ସେମାନଙ୍କ ଉତ୍ପାଦ ବିକ୍ରି କରି ନିଜର ବ୍ୟାବସାୟିକ ସ୍ଥିତିକୁ ଦୃଢ଼ ରଖିବା ଲାଗି ପ୍ରୟାସ କରୁଛନ୍ତି। ଗୋଟିଏ ପଟେ ଚୀନ୍ରୁ ଇସ୍ପାତ ଆସି ଭାରତରେ ପ୍ରବେଶ କରୁଥିବାବେଳେ ଭାରତରେ ଉତ୍ପାଦନ ହେଉଥିବା ଇସ୍ପାତ ବିଭିନ୍ନ ଦେଶକୁ ଯାଇଛି।