ଜୟପୁର, ୨୭/୧୨/୨୪: ଟାଟା ପାୱାର୍ ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ବୈପାରିଗୁଡ଼ା ବ୍ଲକ୍ର ମାଝିଗୁଡ଼ା ଗାଁରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଶିବିରକୁ କମ୍ପାନିର ଜୟପୁର ସର୍କଲ ମୁଖ୍ୟ ମନ୍ମଥନାଥ ମିଶ୍ର ଉଦ୍ଘାଟନ କରିଥିବାବେଳେ ଜୟପୁର ବିଦ୍ୟୁତ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ଓ ସିଏସଆର ମୁଖ୍ୟ ରଣଧୀର କୁମାର ଉପସ୍ଥିତ ଥିଲେ |
ସ୍ବାସ୍ଥ୍ୟ ଶିବିରରେ ଚକ୍ଷୁ ଓ ଦନ୍ତ ପରୀକ୍ଷା, ଶିଶୁ ଚିକିତ୍ସା, ସ୍ତ୍ରୀ ରୋଗ ପରାମର୍ଶ ଓ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଡାକ୍ତର ଓ ବିଶେଷଜ୍ଞ ଟିମ୍ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ପ୍ରଦାନ କରିଛନ୍ତି। ବିଭିନ୍ନ ବର୍ଗର ପାଖାପାଖି ୮୦୦ରୁ ଊର୍ଦ୍ଧ୍ବ ଜନସାଧାରଣ ସ୍ବାସ୍ଥ୍ୟ ଶିବିରରେ ସାମିଲ ହୋଇଥିଲେ।
ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲା ଓ ଏହାର ଦୂରନ୍ତ ଅଞ୍ଚଳରେ ଟିପିଏସଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସାଳୟ କାର୍ଯ୍ୟକ୍ଷମ ରହିଛି। ଏହି କେନ୍ଦ୍ରରେ ମାଗଣା ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ସାଙ୍ଗକୁ ଔଷଧ ପ୍ରଦାନ କରାଯାଉଛି। ଏହିକ୍ରମରେ ମାଝିଗୁଡ଼ାରେ ଆୟୋଜିତ ମେଗା ସ୍ବାସ୍ଥ୍ୟ ଶିବିର, ସ୍ଥାନୀୟ ଲୋକ ତଥା ଜନଜାତି ସମ୍ପ୍ରଦାୟଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ କମ୍ପାନିର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରିପାରିଛି।
ଏହି ଅବସରରେ ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ଉପଭୋକ୍ତା ସଂପ୍ରଦାୟର ସାମାଜିକ କଲ୍ୟାଣ ନିମନ୍ତେ ଟିପିଏସଓଡିଏଲ୍ ପ୍ରତିଶୃତିବଦ୍ଧ। ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ଚିକିତ୍ସାଳୟ ମାଧ୍ୟମରେ ଆମେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଦୂରତ୍ବକୁ ହ୍ରାସ କରିବା ସହ ବ୍ୟକ୍ତି ଜୀବନର ପ୍ରଗତି ନେଇ ଲକ୍ଷ୍ୟ ରଖିଛୁ।