ଭୁବନେଶ୍ୱର : ଜାନୁଆରୀ ୫ ତାରିଖ ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ହୋଇଯାଇଛି ଆଦିବାସୀ ମେଳା। ଚଳିତ ବର୍ଷ ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱର ଆସିବେ ଏବଂ ଏହି ମେଳା ଜରିଆରେ ଆଦିବାସୀ ସଂସ୍କୃତିର ସୁନ୍ଦରତା ଦେଖିବେ, ଜାଣିବେ ଓ ଅନୁଭବ କରିବେ। ଓଡିଶାର ସବୁ ଆଦିବାସୀଙ୍କର ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ଵ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ବ୍ୟକ୍ତ କରିଛନ୍ତି। ଏହାସହ ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଆରମ୍ଭ କରି କହିଥିଲେ ମୁଖ୍ୟମନ୍ତ୍ରୀ।
ଓଡିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଜନଜାତି। ଏତେ ସଂଖ୍ୟକ ଲୋକଙ୍କର ବିକାଶ ନହେଲେ, ରାଜ୍ୟର ଉନ୍ନତି ଅସମ୍ଭବ। କ୍ଷୋଭର ବିଷୟ ହେଉଛି, ସ୍ୱାଧୀନତାର ୭୫ ବର୍ଷ ବିତିଗଲେ ସୁଦ୍ଧା ଆଜି ପ୍ରତିଟି ସାମାଜିକ ତଥା ଅର୍ଥନୈତିକ ସୂଚକାଙ୍କରେ ଜନଜାତି ଅନେକ ପଛରେ ପଡିଛନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ, ଆୟ, ଜୀବନ ଜୀବିକା ଇତ୍ୟାଦି କ୍ଷେତ୍ରରେ ଓଡିଶାର ଆଦିବାସୀମାନେ ବହୁତ ପଛୁଆ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯ ଜଣ ଆଦିବାସୀ ପ୍ରତିଭା ଓ ୧୦ ଜଣ ଜନଜାତି କୃଷକଙ୍କୁ ସମ୍ମାନିତ କରିଥିଲେ । ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଦ୍ଵାରା ପ୍ରକାଶିତ ଜର୍ଣ୍ଣାଲ୍ ‘ବନଜା-୨୦୨୫’ ର ସଂସ୍କରଣ ଉନ୍ମୋଚନ କରିଥିଲେ ।
ଚଳିତବର୍ଷ ଏହି ମେଳାରେ ୨୦ ଗୋଟି ଆଦିବାସୀ କୁଡ଼ିଆ, ବିକ୍ରିବଟା ପାଇଁ ୧୪୭ ଟି ଷ୍ଟଲ୍, ୧୫ଟି ଲାଇଭ୍ ଡେମନଷ୍ଟ୍ରେସନ୍ ପାଇଁ ସ୍ଥାନ ଥିବାବେଳେ ଫୁଡ୍ କୋର୍ଟ, କଳା ଓ ହସ୍ତଶିଳ୍ପ ଷ୍ଟଲ୍, ବିର୍ସା ମୁଣ୍ଡା ପାଭିଲିୟନ୍କୁ ସ୍ଥାନ ଦିଆଯାଇଛି । ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିଭିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ‘ଫାୟର୍ ୱାର୍କ ଶୋ’ ର ମଧ୍ୟ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର – ଭୁବନେଶ୍ୱର ବିଧାୟକ ବାବୁ ସିଂହ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।