ନୂଆଦିଲ୍ଲୀ : ଚୀନ୍ ଭଳି ଦେଶରୁ ନିମ୍ନମାନର ଆମଦାନି ଉପରେ ରୋକ୍ ଲଗାଇବା ପାଇଁ ଭାରତ ପ୍ରସ୍ତୁତ କରୁଛି ରଣନୀତି। ଏହି କ୍ରମରେ ଇସ୍ପାତ ଆମଦାନି ଉପରେ ଅସ୍ଥାୟୀ ଭାବେ ୧୨%ର ଏକ ଶୁକ୍ଳ ଲଗାଇବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର। ବଦ୍ଧିତ ଆମଦାନି ଘରୋଇ ଇସ୍ପାତ ଶିଳ୍ପକୁ କ୍ଷତି ପହଞ୍ଚାଉଥିବା ଦର୍ଶାଇ ଡାଇରେକ୍ଟର ଜେନେରାଲ ଅଫ୍ ଟ୍ରେଡ୍ ରିମେଡିଜ୍ ପକ୍ଷରୁ ଏହି ସୁପାରିସ କରାଯାଇଥିଲା।
ଚୀନ ତଥା ଅନ୍ୟାନ୍ୟ ସ୍ଥାନରୁ ନିମ୍ନମାନର ଆମଦାନିରୁ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ ଇସ୍ପାତ ଆମଦାନିରେ ୧୨% ଶୁଳ୍କ ଲାଗୁ କରିବା ପାଇଁ ବିଚାର ହେଉଥିବା ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। ସୂତ୍ର ଅନୁସାରେ, ସରକାର ଖୁବ୍ଶୀଘ୍ର ଏହି ଟିକସ ଲାଗୁ କରିବେ। ବିଶ୍ଵର ଦ୍ଵିତୀୟ ବୃହତ୍ ଅଶୋଧିତ ଇସ୍ପାତ ଉତ୍ପାଦନକାରୀ ଭାରତ ୨୦୨୪-୨୫ରେ ଲଗାତର ଦ୍ଵିତୀୟ ବର୍ଷ ପାଇଁ ଫିନିସ୍ଡ ଷ୍ଟିଲ୍ର ବଡ଼ ଆମଦାନିକାରୀ ରହିଥିଲା।
ଗତ ମାସ ଡାଇରେକ୍ଟୋରେଟ୍ ଅଫ୍ ଟ୍ରେଡ୍ ରିମେଡିଜ୍ (ଡିଜିଟିଆର) ୨୦୦ ଦିନ ପାଇଁ କେତେକ ଇସ୍ପାତ ଉତ୍ପାଦରେ ୧୨%ର ଗରିଫ୍ ଲଗାଇବା ପାଇଁ ପରାମର୍ଶ ଦେଇଥିଲା। ଏହାର ଲକ୍ଷ୍ୟ ହେଉଛି ଦେଶକୁ ନିମ୍ନମାନର ଇସ୍ପାତ ଆମଦାନି ଉପରେ ରୋକ୍ ଲଗାଇବା।